“ରାଜ୍ୟ ସରକାରଙ୍କ ଇନପୁଟ୍ ସବସିଡି ଘୋଷଣା ନିର୍ବାଚନ ଭୟରେ ଏକ ପ୍ରହେଳିକା”… ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ସାଧାରଣ ସମ୍ପାଦକ । ପଢନ୍ତୁ, ସେ କ’ଣ କହିଲେ?

70

କନକ ବ୍ୟୁରୋ: ରାଜ୍ୟର ମରୁଡି ପ୍ରଭାବିତ ଅଞ୍ଚଳର ଚାଷୀଙ୍କ ପାଇଁ ରାଜ୍ୟ ସରକାର ଇନପୁଟ୍ ସହାୟତା ଘୋଷଣା କରିବା ପରେ ଏହାକୁ ନେଇ ତେଜିଛି ରାଜନୀତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବିରୋଧୀମାନେ ନିର୍ବାଚନୀ ହାଓ୍ୱା କହୁଥିବାବେଳେ, ନିର୍ବାଚନ ଭୟରେ ରାଜ୍ୟ ସରକାରଙ୍କର ଏହା ଏକ ପ୍ରହେଳିକା ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ପୃଥ୍ୱୀରାଜ କହିଛନ୍ତି, ଏ ସରକାର ହେଉଛି ଚାଷୀ ହତ୍ୟାକାରୀ । ଚାଷୀ ମରଣ ନୀତିରେ ଏ ସରକାର ମାହିର ଅଟେ । ବର୍ତ୍ତମାନର ସରକାର ସମୟରେ ହିଁ ସବୁଠୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି । ରାଜ୍ୟର ୭୦ ଭାଗ ଜମି ଜଳସେଚିତ ହୋଇପାରିନି । ମରୁଡି ସହାୟତା ବି ଠିକ ସମୟରେ ମିଳୁନି । ଉପ ନିର୍ବାଚନରେ ସରକାର ବିରୋଧୀ ହାୱକୁ ଦେଖି ମୁଖ୍ୟମନ୍ତ୍ରୀ ଭୟଭୀତ ବୋଲି ପୃଥ୍ୱୀରାଜ କହିବା ସହ ଗତବର୍ଷ ହୋଇଥିବା ମରୁଡିର ସହାୟତା ପାଇଁ ଯେତେବେଳେ ଚାଷୀ ଆନ୍ଦୋଳନ କରୁଥିଲେ ସେବେ ସରକାର କିମ୍ବା ତାଙ୍କ ଦଳର ନେତା ମନ୍ତ୍ରୀଙ୍କ ଦୃଷ୍ଟି ବି ପଡିନଥିଲା ବୋଲି କହିଛନ୍ତି ।

ପୃଥ୍ୱୀରାଜ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୧ରେ ମସିହାରେ ପଦ୍ମପୁର ଅଞ୍ଚଳ ମରୁଡ଼ିର ଶିକାର ହୋଇଥିଲା । ତୁରନ୍ତ ତାହାର ଆସେସମେଣ୍ଟ ପାଇଁ ଏସଆରସି ଚିଠି ଲେଖି ଲେଖିଲେ । ୨୦୨୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଚୁପ ବସିଥିଲେ ଆଉ ଧାନ କିଣାକୁ ବି ମିଲର ମାନେ କଣ୍ଟ୍ରୋଲ କଲେ, ଚାଷୀ ମେରୁଦଣ୍ଡ ଭାଙ୍ଗିଗଲା । ଦେଢ଼ ବର୍ଷ ହେଲା ନବୀନ ବାବୁ ତାଙ୍କ ମନ୍ତ୍ରୀମାନେ କେଉଁଠି ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିସହିତ ଡିସେମ୍ବର ୨୦୨୧ରୁ ଜିଲ୍ଲାପାଳ ରିପୋର୍ଟ ଦେଇଛନ୍ତି ମାତ୍ର ଏଇ ଅଗଷ୍ଟରେ ଅର୍ଥାତ ୮ ମାସ ପରେ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଲେ ଯେ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି । ତେଣୁ ସରକାରଙ୍କ ଉପରେ ବର୍ଷିବା ସହ ଆଜି ଯଦି ଉପ ନିର୍ବାଚନ ନଥାନ୍ତା ତେବେ ରାଜ୍ୟ ସରକାର କୌଣସି ସହାୟତା ଦେଇନଥାନ୍ତେ । ଯଦି ସରକାର ବାସ୍ତବରେ ଚାହୁଁଛନ୍ତି ମରୁଡି ସହାୟତା ଦେବା ପାଇଁ ତେବେ କେଉଁ ମାନଙ୍କୁ ଦିଆଯିବ ତାହାର ଡ଼କ୍ୟୁମେଣ୍ଟକୁ ସାର୍ବଜନୀନ କରନ୍ତୁ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।