ପଦ୍ମପୁର ସବଡିଭିଜନକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ପୃଥ୍ୱୀରାଜ କହିଲେ, ନିର୍ବାଚନ ଦେଖି ନିଦ ଭାଙ୍ଗିଛି ।

139

କନକ ବ୍ୟୁରୋ: ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପାଇଁ ମିଳିଛି ପ୍ରତିଶ୍ରୁତି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ଏନେଇ ଆଲୋଚନା କରିଥିବାବେଳେ, ୨୦୨୩ ଡିସେମ୍ବର ସୁଦ୍ଧା ଏହାକୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ବି ଦେଇଛନ୍ତି । ତେବେ ବର୍ତମାନ ଆଦର୍ଶ ଆଚରଣ ବିଦ୍ଧି ଲାଗୁ ହୋଇଥିବାରୁ ଏନେଇ କୌଣସି ଘୋଷଣା କରାଯାଇନାହିଁ । ହେଲେ ଏହି ପ୍ରସଙ୍ଗରେ ମଧ୍ୟ ଏବେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ସାମ୍ବାଦିକ ସମ୍ମିଳନୀ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ୧୯୯୦ ମସିହାରେ ଯେବେ କମିଶନ ବସିଥିଲା ସେବେ ତାଙ୍କର ପ୍ରସ୍ତାଵ ଥିଲା ପଦ୍ମପୁରକୁ ଜିଲ୍ଲା କରାଯାଉ । ୨୦୧୧ ମସିହାରୁ ସେ ଅଞ୍ଚଳର ବୁଦ୍ଧିଜୀବୀ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲେ । ଖାଲି ସେତିକି ନୁହେଁ, ତାଙ୍କ ସହିତ ତତ୍କାଳୀନ ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ ବିଧାନସଭାରେ ଏ ଦାବି ଉଠାଇବା ବେଳେ ମନ୍ତ୍ରୀ କହିଥିଲେ ସେମିତି କୌଣସି ପ୍ରସ୍ତାଵ ନାହିଁ । ତେଣୁ ୨୦୧୮ ମସିହା ଡିସେମ୍ବର ୨୫ ତାରିଖରେ ପ୍ରଦୀପ ପୁରୋହିତ ମୁଖ୍ୟମନ୍ତ୍ରୀଙ୍କୁ ନିଜେ ଚିଠି ଲେଖିଥିଲେ ଯେ ସେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ । ମାତ୍ର ତାର କୌଣସି ଉତ୍ତର ମିଳିଲା ନାହିଁ , ଆଉ ଏବେ ଉପନିର୍ବାଚନକୁ ଦେଖି ମୁଖ୍ୟମନ୍ତ୍ରୀଙ୍କର ନିଦ ଭାଙ୍ଗିଛି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

୨୦୧୮ରେ ମୁଖ୍ୟମନ୍ତ୍ରୀ କାଳିଆରେ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲେ ଆଜି ଏବେ ୪ ହଜାର ଟଙ୍କା ଦେଉଛନ୍ତି । ମା’ ମାନଙ୍କୁ ନେଇ ପିଠା ଯୋଜନା କରିଥିଲେ, ହେଲେ ଆଜି କେଉଁଠି ଅଛି ସେହି ଯୋଜନା ? ଆମ ଗାଁ ଆମ ବିକାଶ ଯୋଜନାର ପ୍ରତିଶ୍ରୁତି ଦିଆଯାଇଥିଲା ତାହା କୁଆଡେ ଗଲା ? ପ୍ରତିବର୍ଷ ୧୦ ହଜାର ହେକ୍ଟର ଜମିକୁ ଜଳ ସେଚନ କରାଇବୁ କୁହାଯାଇଥିଲା, ମାତ୍ର ତାହା ଗୋଟେ ଇଞ୍ଚ୍ ବି ବଢିନି। ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପରୁ ଲୋକେ ମୁନ୍ଦେ ପାଣି ପାଉନାହାଁନ୍ତି ବୋଲି ପୃଥ୍ୱୀରାଜ କହିଛନ୍ତି। ତେବେ ନିର୍ବାଚନ ଜିତିବା ପାଇଁ ମୁଖ୍ୟମନ୍ତ୍ରୀ ମିଛ ପ୍ରତିଶ୍ରୁତି ଦେଉଛନ୍ତି । ପଦ୍ମପୁରକୁ ମୁଖ୍ୟମନ୍ତ୍ରୀ ପୁଣି ଆଜିଥରେ ପ୍ରତାରିତ କରିବା ଆରମ୍ଭ କରିଛନ୍ତି ବୋଲି ବିଜେପି କହିଛି ।