ଟ୍ରେନରେ ଅସ୍ୱାସ୍ଥ୍ୟକର ଖାଦ୍ୟ ! ଯାତ୍ରୀଙ୍କୁ ପରସା ଯାଇଥିବା ଭେଜ୍ ବିରିୟାନୀରେ ଥିଲା ଝିଟିପିଟି

31

ସଂସଦରେ ଟ୍ରେନରେ ପରସା ଯାଉଥିବା ଅସ୍ୱାସ୍ଥ୍ୟକର ଖାଦ୍ୟ ଉପରେ ସିଏଜି ରିପୋର୍ଟ ଉପସ୍ଥାପନ କରିବାର ଗୋଟିଏ ଦିନ ପରେ , ପୂର୍ବ ଏକ୍ସପ୍ରେସରେ ଯାତ୍ରୀଙ୍କୁ ପରସା ଯାଇଥିବା ଖ।ଦ୍ୟରେ ମିଳିଛି ଝିଟିପିଟି । ସିଏଜି ନିଜ ରିପୋର୍ଟରେ ଦର୍ଶାଇଥିଲେ ଯେ ଟ୍ରେନରେ ଦିଆଯାଉଥିବା ଖାଦ୍ୟ ମଣିଷ ଖାଇବା ପାଇଁ ଉପଯୁକ୍ତ ନୁହେଁ । ଆଉ ଏହାର ପ୍ରମାଣ ମିଳିଯାଇଛି ତୁରନ୍ତ ।

ନବଭାରତ ଟାଇମ୍ସରେ ପ୍ରକାଶିତ ସୂଚନା ଅନୁସାରେ, ମଙ୍ଗଳବାର ଦିନ କିଛି ତୀର୍ଥ ଯାତ୍ରୀ ଝାଡଖଣ୍ଡରୁ ଉତ୍ତର ପ୍ରଦେଶ ଯାଉଥିଲେ । ଯେତେବେଳେ ପୂର୍ବ ଏକ୍ସପ୍ରେସ୍ (୧୨୩୦୩) ପାଟନା ପାଖାପାଖି ପହଁଚିଥିଲା , ସେଠାରେ ପରସା ଯାଇଥିବା ଭେଜ୍ ବିରିୟାନୀରେ ଝିଟିପିଟି ପଡିଥିବାର ଦେଖାଯାଇଥିଲା । ଏହି ଖାଦ୍ୟକୁ ଖାଇ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା । ଯେତେବେଳେ ରେଳ କର୍ମଚାରୀଙ୍କୁ ଏହି ସୂଚନା ଦିଆଗଲା , କର୍ମଚାରୀ ଖାଦ୍ୟକୁ ବାହାରକୁ ଫିଙ୍ଗିଦେଇଥିଲେ ଏବଂ ସେଠାରୁ ଚାଲିଯାଇଥିଲେ । ଏହାପରେ ଯେତେବେଳେ ଟିକେଟ୍ ନିରୀକ୍ଷକ ଓ ପେଣ୍ଟ୍ରୀ କାର୍ ଆଟେଣ୍ଡାଣ୍ଟଙ୍କୁ ଏହି ବିଷୟ ଜଣାଗଲା , ସେମାନେ ବି ଏହାକୁ ଧ୍ୟାନ ଦେଲେନାହିଁ । ଶେଷରେ ଯାତ୍ରୀମାନେ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଟ୍ୱିଟ୍ କଲେ । ଯେତେବେଳେ ଟ୍ରେନଟି ୟୁପିର ମୁଗଲସରାଇରେ ପହଁଚିଲା କିଛି ବରିଷ୍ଠ ଅଧିକାରୀ ପହଁଚିଲେ ଏବଂ ରୋଗରେ ପୀଡିତ ଯାତ୍ରୀଙ୍କୁ ଔଷଧ ଦିଆଯାଇଥିଲା । ସଂପୃକ୍ତ ଅଧିକାରୀ ଜଣକ ଏହି ମାମଲାର ଯାଂଚ କରିବାକୁ ପ୍ରତିଶୃତି ଦେଇଥିଲେ ।
( ସୈାଜନ୍ୟ – ନବଭାରତ ଟାଇମ୍ସ)