ପଖାଳ: ଛପନ ଭୋଗରେ କାଳିଆ ଖାଏ, ଛପର ଘରେ ଗରିବଟିଏ ପ୍ରତିଦିନ ଖାଏ ।

212

କନକ ବ୍ୟୁରୋ: ପଖାଳକୁ ପରିଚୟ ଦରକାର ନାହିଁ । ପଖାଳ ପ୍ରତିଟି ଓଡ଼ିଆର ପରିଚୟ, ଜଣେ ଗରିବର ଦାମୀ ଖାଦ୍ୟ, ଅଭାବୀର ଶେଷ ଆଶା, ଭୋକ ମେଣ୍ଟାଉଥିବାର ପରିଭାଷା । ଦାରୁଦିଅଁଙ୍କ ଛପନ ଭୋଗରେ ହେଉ କି ଦୁଃଖୀରଙ୍କୀର ନିତିଦିନିଆ ଖାଦ୍ୟ, ସେଠି ଏଠି ସବୁଠି ଶୀଘ୍ର ପ୍ରସ୍ତୁତ ହେଉଥିବା ବ୍ୟଞ୍ଜନ ମଧ୍ୟରୁ ପଖାଳ ଭାତ ହେଉଛି ସମସ୍ତଙ୍କ ପ୍ରିୟ ।

କୋଶଳା ଶାଗକୁ ପୋଇ ରାଇ…
ଦହି ପଖାଳକୁ ଲୁଣି ଶୁଖୁଆ ଖାଇ
ସ୍ୱାଦ ବଢ଼ିଯିବ ଥିଲେ ବଡ଼ିଚୁରା ବସା ଦହି

ସଜ ପଖାଳ…ବାସି ପଖାଳ…ଚାଇଁ ପଖାଳ…ଦହି ପଖାଳ । ଏମିତି ଅନେକ ପ୍ରକାରର ପଖାଳ ଆପଣ ଓଡ଼ିଆଙ୍କ ଘରେ ପାଇବେ । ମ୍ୟାଗୀଠୁ ବି ଯଦି କେଉଁ ଖାଦ୍ୟ କମ୍ ସେକେଣ୍ଡରେ ପ୍ରସ୍ତୁତ କରି ହେବ ତାହା ହେଉଛି ପଖାଳ ଭାତ । ସାଧାରଣତଃ ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟ ଭାବେ ବେଶ୍ ପରିଚିତ ଏହି ପଖାଳ କଂସା ।

ପଖାଳକୁ ନେଇ କେହି କେହି କୁହନ୍ତି, ଲାଲ୍ ଟହ ଟହ ପାତଲଘଟାଁ, ଧାନ ମିରଚା ନୁନେ… ଚିଟକି ଚିଟକି ଖାଏମା ପୁତା, ବାସି ପଖାଳର ସାଙ୍ଗେ । ପୂର୍ବ-ପଶ୍ଚିମ, ଉତ୍ତର ଦକ୍ଷିଣ ଓଡ଼ିଶାର କୋଣ ଅନୂକୋଣରେ ପଖାଳ ଭାତକୁ କିଏ କେଉଁ ପ୍ରକାରରେ ବାଖ୍ୟା କରିପାରେ କିନ୍ତୁ ପଖାଳ ଭାତ ପାଇଁ ସମାନ ଭାବ, ସମାନ ଆବେଗ କଂସାରେ ଭରି ରହିଥାଏ ।

ଆଧୁନିକ ଜମାନାରେ ଜଙ୍କ୍ ଫୁଡ୍ ଯୁବପୀଢ଼ିଙ୍କ ସ୍ୱାସ୍ଥ୍ୟ ସମସ୍ୟା ବଢ଼ାଉଥିବାବେଳେ ପଖାଳ କଂସାଏ ପେଟ ପାଇଁ ଭଲ ଆଉ ଶରୀର ପାଇଁ ପ୍ରତିରୋଧକ ଭଳି କାମ କରିଥାଏ ବୋଲି ବିଶେଷଜ୍ଞ ମାନେ କୁହନ୍ତି । ପଖାଳ ଭାତର ମୁନ୍ଦେ ତୋରାଣୀ ଥକାପଣ ମେଣ୍ଟାଇବା ସହ ପେଟର ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ ।

ପଖାଳ ସହ ଖାଦ୍ୟ କହିଲେ, ବଡ଼ିଚୁରା, ମାଛ ଭଜା, ଶାଗ ଭଜା, ଆମ୍ବ ଧନିଆ ଚଟଣି, ତେନ୍ତୁଳି ଖଟା ଆଦି ଲାଗିଥାଏ । ଯୁଗ ବଦଳିବା ସହ ଏବେ ପଖାଳ କଂସାରେ ଆଉ କେହି କାହାର ପରିଚୟ ଖୋଜୁ ନାହାନ୍ତି । ବରଂ ପେଟେ ପଖାଳ ଖୁଆଇ ଅତିଥି ସକ୍ରାର କରାଯାଉଛି । ସେଥିପାଇଁ ତ ଚାଳିଆଠୁ ଆରମ୍ଭ କରି ଫାଇଭ୍ ଷ୍ଟାର ହୋଟେଲ ମାନଙ୍କରେ ଏବେ ପଖାଳ ବି ଏକ ମେନ୍ୟୁ ଭାବେ ରହିଛି ।

ଆଜି ବି ଯଦି ଆପଣ ସହରୀ ରାଇଜରୁ ଆଖି ଫେରାଇ ଗାଁର ଗଳିକନ୍ଦି ଅଗଣାକୁ ଅନେଇବେ, ବଡ଼ିଚୁରା, ଶାଗ ଭଜା ସହ ପଖାଳ ବେଲାଏ ଦେଖିବାକୁ ପାଇବେ । କାରଣ ଅଦିନିଆ ମେଘ ପରି ସହରରେ ପାଳନ ହୁଏ ପଖାଳ ଦିବସ । ହେଲେ ଗାଁ ଗହଳିରେ ପଖାଳ ପ୍ରତିଦିନ ପାଳନ ହେଉଥିବା ପର୍ବ, ସଜ ପଖାଳ ଭଳି ସବୁଦିନିଆ ସୁଖ ।