ବୟସର ବାହାନା ଦେଖାଇନାହାନ୍ତି । କାହା ଆଗରେ ହାତ ପତାଇନାହାନ୍ତି, ପଢ଼ନ୍ତୁ ସାଇକେଲ ମିସ୍ତ୍ରୀଙ୍କ ପ୍ରେରଣାଦାୟୀ କାହାଣୀ ।

306

କନକ ବ୍ୟୁରୋ: ହାତରେ ବୟସକୁ ବୁଝାଉଥିବା ବଙ୍କୁଲି ବାଡ଼ି, ବେକରେ ଗୌରବ ବଢ଼ାଉଥିବା ଗାମୁଛା । ମଉସାଙ୍କ ବୟସ ଶହେ ଟପିଯାଇଥିଲେ ବି ନା କେବେ ଥକିଛନ୍ତି ନା କେବେ ହାରିଛନ୍ତି । ହସଖୁସିରେ ଜୀବନ କାଟିବାକୁ ସାଇକେଲ ଦୋକାନଟିଏ ଖୋଲି ସାଇକେଲ ମରାମତି କରୁଛନ୍ତି ମୋହନ ମଉସା । ଆଉ ପରିଣତ ବୟସରେ ପରିଶ୍ରମ କରି ଯୁବପୀଢ଼ିଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।

କୋରାପୁଟ ସୁନାବେଡ଼ାର ସାଇକେଲ ମିସ୍ତ୍ରୀ ମୋହନ ବେହେରା । ସାଇକେଲ୍ ମରାମତି କରି ଦୈନିକ କମାଉଛନ୍ତି ଦୁଇ ଶହ ଟଙ୍କା । ଏପରିକି ପରିବାର ଉପରେ ନିର୍ଭରଶୀଳ ନହୋଇ ନିଜେ ରୋଜଗାର କରୁଥିବା ଟଙ୍କାରେ ହସଖୁସିରେ ଚଳୁଛନ୍ତି । ସ୍ତ୍ରୀ ଏବଂ ଦୁଇ ପୁଅଙ୍କ ଦେହାନ୍ତ ହୋଇଥିଲେ ବି ସମୟର ଖେଳ ଆଗରେ ସେ କେବେ ମୁଣ୍ଡ ନୁଆଁନାହାନ୍ତି । ଶତାୟୁ ମୋହନ ମଉସା ସୁନାବେଡା ମାର୍କେଟର ସବୁଠୁ ପୁରୁଣା ସାଇକେଲ ମିସ୍ତ୍ରୀ ଭାବେ ବେଶ୍ ପରିଚିତ । ୬୦ ଦଶକରୁ ଏହି ସାଇକେଲ କାରଖାନାରୁ ଅନେକ ମିସ୍ତ୍ରୀ ମଧ୍ୟ ଗଢ଼ିଛନ୍ତି ଶତାୟୁ ମୋହନ ମଉସା ।

ଦିନକୁ ଦିନ ସାଇକେଲର ଚାହିଦା କମୁଥିଲେ ବି ସାଇକେଲ ଦୋକାନକୁ ସବୁଦିନ ଖୋଲା ରଖନ୍ତି ମୋହନ ମଉସା । ଲାଭ ମିଳୁ କି ନମିଳୁ କିନ୍ତୁ ଘରକୁ ଖାଲି ହାତରେ କେବେ ଫେରିନାହାନ୍ତି । ଅଳ୍ପ ବହୁତେ ଯାହା ରୋଜଗାର ହୁଏ ସେଥିରେ ଘରକୁ ପରିବା ସହ ନାତିନାତୁଣୀଙ୍କ ପାଇଁ ଅନେକ କିଛି ନେଇଯାଆନ୍ତି । ଗାନ୍ଧୀବାଦୀ ହୋଇଥିବାରୁ ବଞ୍ଚିଥିବା ଯାଏଁ ପରିଶ୍ରମ କରିବି ବୋଲି ପରିବାର ଲୋକଙ୍କୁ କୁହନ୍ତି ।

ମୋହନ ମଉସା କୁହନ୍ତି, ତାଙ୍କର ବହୁ ସାଙ୍ଗସାଥୀ ଭଲ ଭଲ ଚାକିରି କରିଛନ୍ତି । କିନ୍ତୁ ସେ ନିଜ କୌଳିକ ବୃତ୍ତିକୁ କେବେ ଛାଡ଼ିନାହାନ୍ତି । ସ୍ୱଳ୍ପ ଆୟରେ ସନ୍ତୁଷ୍ଟ ମୋହନ ବୟସ ଶହେ ଟପିବା ପରେ ମଧ୍ୟ ଅଧିକାଂଶ ସମୟ ସାଇକେଲ ଦୋକାନରେ ବିତାନ୍ତି । ଗାନ୍ଧିଜୀ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଏମିତି ନିଜ ଉପରେ ନିଜେ ନିର୍ଭର କରି ଆସୁଛନ୍ତି ।

ଆଜିର ଯୁବପିଢ଼ି ମୋହନ ମଉସାଙ୍କଠୁ ଶିଖିବା କଥା । ଫିଟ୍ ରହିବା ବଦଳରେ ପିଲାମାନେ ଏଥିରେ ଖିଲାପ୍ କରୁଥିବା ହେତୁ ଅଧା ବାଟ ଚାଲିନପାରି ଅଟକି ଯାଉଛନ୍ତି । ବୟସ ଏକ ଗଣତି ସଂଖ୍ୟା ମାତ୍ର ମନୋବଳ ସଶକ୍ତ ଥିଲେ ସବୁ ସମ୍ଭବ ବୋଲି ମୋହନ କହିଛନ୍ତି ।