ସମ୍ବଲପୁରରେ ଅସହୟ ହେଉଛି ତାତି: ଡିଅର ପାର୍କରେ ଜୀବଜନ୍ତୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

102

କନକ ବ୍ୟୁରୋ: ଖରାରୁ ରକ୍ଷା ପାଇବା ପାଇଁ ମଣିଷ ମାନେ କୁଲର ବ୍ୟବହାର କରିବା ଅମେ ସମସ୍ତେ ଜାଣିଛେ । କିନ୍ତୁ ଏଠି ବାଘ ଶୋଇଛି କୁଲର ତଳେ । ଓଆରଏସ ପିଉଛି ହରିଣ । ଜୁସ୍ ପିଉଛି ଭାଲୁ । ହଁ ଆଜ୍ଞା କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପ୍ରବଳ ଖରାରୁ ରକ୍ଷା ପାଇଁ ସମ୍ବଲପୁର ଡିୟର ପାର୍କରେ କଲରାପତରିଆ ବାଘ ପାଇଁ ଏପରି ବ୍ୟବସ୍ଥା କରିଛନ୍ତି କର୍ତୃପକ୍ଷ । ଖରାରୁ ବର୍ତିବା ପାଇଁ ବନ୍ୟଜନ୍ତୁ ରହୁଥିବା ଖୁଆଡ଼ ଉପରେ ନଡ଼ର ଛାଉଣୀ ଓ ପାଣି ସିଂଚନ କରାଯାଉଛି । ସ୍ୱାସ୍ଥ୍ୟ ପରୀକ୍ଷା ଅନୁସାରେ ଔଷଧ ଓ ପାଣିର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକଙ୍କ ମନ ମୋହୁଥିବା ସମ୍ବଲପୁର ଡିଅର ପାର୍କରେ ଖରାକୁ ନେଇ ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ତାପମାତ୍ରା ବଢ଼ୁଥିବାରୁ ବନ୍ୟଜନ୍ତୁଙ୍କୁ ଦିଆଯାଉଥିବା ପାଣିକୁ ଦିନକରେ ତିନି ଥର ବଦଳାଯାଉଛି । ବନ୍ୟଜନ୍ତୁ ମାନେ ଯେଭଳି ଆରମରେ ଏହାକୁ ବ୍ୟବହାର କରିପାରିବେ ସେନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏବେ ଡିୟର ପାର୍କରେ ୧୭ଟି ପ୍ରଜାତିର ୩୩୩ଟି ବନ୍ୟଜନ୍ତୁ ରହିଛନ୍ତି । ଏଥିପାଇଁ ୨୭ଟି ଖୁଆଡ଼ କରାଯାଇଛି । ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ମେଡିସିନ୍ ମଧ୍ୟ ଦିଆଯାଉଛି । କେବଳ ଥଣ୍ଡା ପାଣି ନୁହେଁ ଥଣ୍ଡା ଖାଦ୍ୟ ମଧ୍ୟ ଦିଆଯାଉଛି । କାକୁଡ଼ି, ତରଭୁଜ, ଆଖୁରସ ପରି ଜଳୀୟ ଅଂଶ ଥିବା ଖାଦ୍ୟ ଏବଂ ଓଆରଏସ ବି ସେମାନଙ୍କୁ ଦିଆଯାଉଥିବା କହିଛନ୍ତି ପାର୍କ ଦାୟିତ୍ୱରେ ଥିବା କର୍ମଚାରୀ ।