କରୋନାରେ ସଂକ୍ରମିତ ହେବା ପରେ କେମିତି ଅଛି ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା? ହସ୍ପିଟାଲ ଜାରି କଲା ହେଲଥ୍ ବୁଲେଟିନ ।

121

କନକ ବ୍ୟୁରୋ : ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କରୋନାରେ ସଂକ୍ରମିତ ହେବା ପରେ କୋଲକାତାର ଉଡଲ୍ୟାଣ୍ଡସ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ବୁଧବାର ହସ୍ପିଟାଲ ପକ୍ଷରୁ ଯେଉଁ ହେଲଥ୍ ବୁଲେଟିନ ଜାରି କରାଯାଇଛି ସେଥିରେ ଦର୍ଶାଯାଇଛି ଯେ, ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି ଏବଂ ପୂର୍ବପେକ୍ଷା ଅକ୍ସିଜେନ ଲେଭଲ ମଧ୍ୟ ବେଶ ଭଲ ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ଏହି ହେଲଥ୍ ବୁଲେଟିନରେ କୁହାଯାଇଛି ଯେ,  କରୋନାରେ ସଂକ୍ରମିତ ହୋଇଥିବା ଗାଙ୍ଗୁଲି ଗତକାଲି ଭଲ ନିଦ୍ରାରେ ଶୋଇଛନ୍ତି । ଏପରିକି ବୁଧବାର ଦିନ ପ୍ରାତଃ ଭୋଜନ କରିଥିବା କଥା ଉଲ୍ଲେଖ ରହିଛି । ଏହାବାଦ୍ ଗତ ସୋମବାର ଦିନ ତାଙ୍କୁ ଆଣ୍ଟିବଡି କକଟେଲ ଥେରାପି ଦିଆଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

ସୌରଭ ଗାଙ୍ଗୁଲି ଟିକାର ୨ଟି ଡୋଜ୍ ନେଇଥିଲେ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଅନେକ ଲୋକଙ୍କ ସହ ମିଳାମିଶା, ବିଦେଶ ଗସ୍ତ କାରଣରୁ ଗାଙ୍ଗୁଲି କରୋନାରେ ସଂକ୍ରମିତ ହୋଇଥିବା କୁହାଯାଉଛି । ଏହାପୂର୍ବରୁ ଗତ ଜାନୁଆରୀରେ ହାର୍ଟରେ ସମସ୍ୟା ଦେଖାଦେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଗାଙ୍ଗୁଲି । ତେବେ ଆଞ୍ଜିଓପ୍ଲାଷ୍ଟି କରିବା ପରେ ଗାଙ୍ଗୁଲି ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ତେବେ କରୋନାରେ ସଂକ୍ରମିତ ହେବା ପରେ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଏକ ୩ ଜଣିଆ ଡାକ୍ତରୀ ଟିମ୍ ନଜର ରଖିଛନ୍ତି ।  ଗାଙ୍ଗୁଲିଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ସାମ୍ପଲକୁ ଜିନୋମ ସିକ୍ୱେସିଂ ପାଇଁ ପଠାଯାଇଛି । ତେବେ ଏନେଇ କୌଣସି ରିପୋର୍ଟ ଆସିନାହିଁ । ଗାଙ୍ଗୁଲି ଖୁବଶୀଘ୍ର ସୁସ୍ଥ ହୋଇ ଫେରି ଆସନ୍ତୁ ଏହି ପ୍ରାର୍ଥନା କରୁଛନ୍ତି ପ୍ରଂଶସକ ।