ଭିନ୍ନ ଭିନ୍ନ କମ୍ପାନିର ୪ ଡୋଜ ଟିକା ନେଇଥିଲେ ମହିଳା, ବିମାନବନ୍ଦରରେ ଟେଷ୍ଟ ପରେ ଜଣାପଡିଲା ହୋଇଛି କରୋନା । 

137

କନକ ବ୍ୟୁରୋ  : ୪୪ ବର୍ଷୀୟା ଜଣେ ମହିଳା ଇନ୍ଦୋରରୁ ଦୁବାଇ ଏଆର ଇଣ୍ଡିଆର ବିମାନରେ ଯିବାପାଇଁ ପ୍ରସ୍ତୁତ ହେଉଥିଲେ । ବିମାନବନ୍ଦରରେ ମହିଳାଙ୍କ କରୋନା ପରୀକ୍ଷା କରିବା ପରେ ଜଣା ପଡିଲା ଯେ ମହିଳା କରୋନା ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି । ତେଣୁ ତାଙ୍କୁ ବିମାନଯାତ୍ରାରୁ ବାରଣ କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି । ଅଧିକାରୀ ଜଣକ କହିଛନ୍ତି, ଦୁବାଇର ଏହି ଅଧିବାସୀ ଜଣକ ଦୁଇଟି ଭିନ୍ନ କମ୍ପାନିର ୪ ଡୋଜ୍ ଟିକା ନେଇଛନ୍ତି ।

ଇନ୍ଦୋର ସ୍ଵାସ୍ଥ୍ୟ ବିଭାଗର ଜଣେ ମେଡିକାଲ ଅଫିସର ଡାକ୍ତର ପ୍ରିୟଙ୍କା କୌରଭ କହିଛନ୍ତି, ଆଜି କୋଭିଡ୍‌ ଗାଇଡଲାଇନ  ଅନୁଯାୟୀ ଇନ୍ଦୋର- ଦୁବାଇ ବିମାନରେ ୮୩ ଜଣ ଯାତ୍ରୀଙ୍କ ସାପ୍ତାହିକ ରାପିଡ୍ ଆରଟି-ପିସିଆର୍ ପରୀକ୍ଷା କରାଯାଇଥିଲା, ଏମାନଙ୍କ ମଧ୍ୟରୁ ଜଣେ ମହିଳା କରୋନା ଦ୍ଵାରା ଆକ୍ରାନ୍ତ ବୋଲି ଜଣାପଡିଛି । ବର୍ତ୍ତମାନ ମହିଳାଙ୍କ ଦେହରେ କୌଣସି ଲକ୍ଷଣ ନାହିଁ । ତେବେ ମହିଳା ବିମାନର ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ଜଣାଇଛନ୍ତି, ତାଙ୍କୁ ୪ ଦିନ ପୂର୍ବରୁ ଥଣ୍ଡା ଓ କାଶ ହୋଇଥିଲା ।

ଜଣେ ଅଧିକାରୀ କହିଛନ୍ତି,ମହିଳା ଜଣକ ମଧ୍ୟପ୍ରଦେଶ ଭୋପାଳର ମହ ନାମକ ସ୍ଥାନକୁ ୧୨ ଦିନ ପୂର୍ବରୁ ତାଙ୍କ ନିକଟ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବା ପାଇଁ ଆସିଥିଲେ । ଜାନୁଆରିରୁ ଅଗଷ୍ଟ ମଧ୍ୟରେ ସେ ସିନୋଫାର୍ମ ଓ ଫାଇଜର କମ୍ପାନିର ଦୁଇଟ୍ ଲେଖାଏଁ କୋଭିଡ୍-୧୯ ପ୍ରତିଷେଧକ ଟିକା ନେଇଥିଲେ । ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ ତାଙ୍କୁ ଏବେ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତିକରିଛନ୍ତି ।