ଶୀତ: କାହା ପାଇଁ କମ୍ବଳ ତଳର ସୁଖନିଦ୍ରାର ସୁଯୋଗ, କାହା ପାଇଁ ତାଲିବାନୀ ଶାସନଠୁ କମ ନୁହେଁ । ଫୁଙ୍ଗୁଳା ଫୁଟପାଥରୁ ରାସ୍ତାକଡ… ଶୀତ ଶାସ୍ତି ଦେଉଛି, ସାକ୍ଷୀ ସାଜୁଛି..

193

କନକ ବ୍ୟୁରୋ: ଶୀତ ଆସିଛି… ତମ ସହରକୁ, ମୋ ସହରକୁ । ନିପଟ ମଫସଲିର ଗାଁ ଗହୀରକୁ । ଶୀତ ଆସିଛି ବୋଲି ତ ଓଠ ଖୋଜୁଛି ଓଷୁମ ଚା । ଦେହକୁ ଦରକାର ହେଉଛି ସାଲ, ସ୍ୱେଟର । ରାତିର ବୟସ ବଢିବା କ୍ଷଣି ବଳଶାଳୀ ହୁଏ ଶୀତ । ଶୀତ ୧୪୪ ଲଗାଏ, କାଲୁଆ କାକର ସହ ଜାଡ ବି ଜାରି କରେ କର୍ଫ୍ୟୁ । ସାଧାରଣ ଲୋକଙ୍କୁ ଶାସ୍ତି ଦେବାକୁ କିଟମିଟ ଅନ୍ଧାରରେ କୁହୁଡି ସହ ଷଡଯନ୍ତ୍ର କରେ ଶୀତ…

ଶୀତକୁ ଉପଭୋଗ କରିବାକୁ ଲୋକେ ଅବସର ଖୋଜନ୍ତି । କାଶ୍ମୀର ଯାଆନ୍ତି, କୋରାପୁଟ ବୁଲନ୍ତି, ଶିମିଳିପାଳରେ ଶୀତ ସହ ମିତ ବସିବାକୁ ଲୋକେ ଧାଇଁଯାଆନ୍ତି । ହେଲେ ଶୀତ ସବୁଠି ଥାଏ, ସଭିଙ୍କୁ ଥରାଏ । ହୁଏତ ଥିଲାବାଲାଙ୍କ ପାଇଁ ଶୀତ କମ୍ବଳ ତଳର ସୁଖନିଦ୍ରାର ସୁଯୋଗ ହୋଇପାରେ ହେଲେ ନଥିଲାବାଲାଙ୍କ ପାଇଁ ଶୀତ କିନ୍ତୁ ତାଲିବାନୀ ଶାସକଠୁ କିଛି କମ ନୁହେଁ । ଫୁଟପାଥର ଫୁଙ୍ଗୁଳା ରାସ୍ତା ଉପରେ ରାତି କାଟୁଥିବା ଦରିଦ୍ର, ଅସହାୟଙ୍କ ଆଖିରେ ଶୀତ କେଉଁ ସୈତାନଠୁ କମ୍ ନୁହେଁ ।

ଫି ବର୍ଷ ଶୀତ ଆସେ । ଶୀତ ଆସିଲେ ଶୋଇଯାଏ ସହର, ଶୂନଶାନ ହୁଏ ରାସ୍ତାଘାଟ । ଗଳିକନ୍ଦି, ଛକଛକକୁ ଛୁଟେ ଲୋକଙ୍କ ସୁଅ । ରାଜଧାନୀ ହେଉ କି ମଫସଲ ରାସ୍ତାର ଛାତି ଉପରେ ଥଣ୍ଡାରେ ଥରି ଥରି ରାତି କାଟୁଥିବା ଲୋକଙ୍କୁ ଦେଖି ତରଳିଯାଏ ମନ । ଅସହାୟ, ନିରାଶ୍ରୟଙ୍କ ସହ ଉଠାଯାଏ ସେବାର ସେଲ୍ଫି । କିଛି ଲୋକ କ୍ୟାମେରା ଆଢୁଆଳରେ ସେବା କରିବାକୁ ପସନ୍ଦ କରନ୍ତି । ଗରିବଙ୍କୁ ଦିଆଯାଏ କମ୍ବଳ, ଦିଆଯାଏ ଶୀତବସ୍ତ୍ର । ତଥାପି ଦାନକମ୍ବଳର ଗରମକୁ ଗୋଇଠାମାରି ଗରିବର ଦେହ ଭିତରକୁ ଧସେଇ ପଶେ ଶୀତ । ସହର ବଜାର, ରାସ୍ତାଘାଟ, ପ୍ଲାଟଫର୍ମ, ବସଷ୍ଟାଣ୍ଡ ଓ ମନ୍ଦିର ବାରଣ୍ଡା ସବୁଠି ଶୀତ ଶାସ୍ତି ଦିଏ, ଜିଇଁବାକୁ କରାଯାଉଥିବା ସଙ୍ଘର୍ଷର ସାକ୍ଷୀ ବି ରୁହେ ।

କିନ୍ତୁ କେବେ କେବେ ଶୀତ ବି ଶାସ୍ତି ସହୁଥିବା ମଣିଷକୁ ସଲାମ କଲେ । ଏଇ ଦେଖୁ ନାହାନ୍ତି ଶୀତୁଆ ରାତିରେ ଥଣ୍ଡାରୁ ମୁକ୍ତି ଦେବାକୁ ଜଣେ ବାପା କେମିତି ନିଆଁ ଜାଳି ତା ପୁଅକୁ ଉଷୁମ ସେକ ଦେଉଛନ୍ତି । ଆଉ ଶୀତ ବି ଜଣେ ବାପାର ଏ ସ୍ନେହ ଦେଖି ଥରେଇ ଦେବାକୁ ସାହସ କରୁନଥିବ । ସତରେ ବାପା ହେବା ସହଜ ନୁହେଁ, ସେଇଥିପାଇଁ ତ ଏଠି ଶୀତ ସେହି ବାପାମାନଙ୍କ ସାଲ୍ୟୁଟ୍ କରୁଛି ଯିଏ ନିଜେ ଥରି ପିଲାଙ୍କୁ ସୁରକ୍ଷା ଦେଉଛନ୍ତି ।

ଶୀତଦାଉରୁ ରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାରେ ସେଲ୍ଟର ହୋମ ଖୋଲାଯାଇଛି । ହେଲେ ଏଠାକୁ କାହିଁକି ଆସୁ ନାହାନ୍ତି ଲୋକେ ? କେଉଁଠି ରହୁଛି ସମସ୍ୟା? ଗରିବ, ନିରାଶ୍ରୟ ଜାଣି ପାରୁ ନାହାନ୍ତି କି କେଉଁଠି ରହିଛି ଆଶ୍ରୟସ୍ଥଳ? କଣ ରହିଛି ସରକାରୀ ବ୍ୟବସ୍ଥା ? ନା ବାବୁମାନେ ଚାରିକାନ୍ଥର ଉଷ୍ମ ଘର ଭିତରେ ରହୁଛନ୍ତି ବୋଲି ଜାଣିପାରୁ ନାହାନ୍ତି ନିରାଶ୍ରୟଙ୍କ କଷ୍ଟ?
ପ୍ରଶାସନ ଅନେକ ସୁବିଧାର ଡିଣ୍ଡିମ ପିଟୁଥିବା ବେଳେ ଜାଡରେ ଥରୁଥିବା, ଶୀତର ଶାସ୍ତି ସହୁଥିବା ଏ ଅସହାୟ, ନିରାଶ୍ରୟଙ୍କ ଉପରେ ଥରେ ନଜର ପଡିବା ଦରକାର । କାରଣ ଶୀତକାକରରେ ଶୋଉଥିବା ମଣିଷ ହିଁ ଜାଣିଛି ଜୀବନ କେତେ ଯନ୍ତ୍ରଣାମୟ…