ବିସିସିଆଇ ଅଧ୍ୟକ୍ଷ ପଦକୁ ନେଇ ଚାଲିଥିବା ବିବାଦ ଭିତରେ ମୁହଁ ଖୋଲିଲେ ସୌରଭ ଗାଙ୍ଗୁଲି,  କହିଲେ, କିଛି ବଡ଼ କରିବାକୁ ଲକ୍ଷ୍ୟ ରଖିଥିବା କହିଲେ ଦାଦା

181

କନକ ବ୍ୟୁରୋ : ବିସିସିଆଇ ଅଧ୍ୟକ୍ଷ ଭାବେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତାଙ୍କ ସ୍ଥାନରେ ୧୯୮୩ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ରୋଜର ବିନ୍ନିଙ୍କ ନାଁ ସବୁଠାରୁ ଆଗରେ ରହିଛି । ତେବେ ଏସବୁ ଚର୍ଚ୍ଚା ଭିତରେ ପ୍ରଥମଥର ଗାଙ୍ଗୁଲି ମୁହଁ ଖୋଲିଛନ୍ତି । ଗାଙ୍ଗୁଲି ମଧ୍ୟ ସ୍ୱୀକାର କରିଛନ୍ତି ଯେ ବିସିସିଆଇ ଅଧ୍ୟକ୍ଷ ଭାବେ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବେ ନାହିଁ । ସେ ଏକ ବଡ଼ କାମ ଉପରେ ଫୋକସ୍ କରୁଥିବା କହିଛନ୍ତି । ଏକ ଘରୋଇ ବ୍ୟାଙ୍କ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ମୁଁ ଲମ୍ବା ସମୟ ଧରି କ୍ରିକେଟର ପ୍ରଶାସକ ରହିଆସିଛି । କିନ୍ତୁ ଏବେ ନିଜ ଜୀବନରେ ଆଗକୁ ବଢ଼ିବାକୁ ଚାହୁଁଛି । ଗାଙ୍ଗୁଲି ଆହୁରି କହିଛନ୍ତି, ଆପଣ ଜୀବନରେ କିଛି କି କରିପାରିବେ । କିନ୍ତୁ ମୋ ପାଇଁ ଟିମ୍ ଇଣ୍ଡିଆ ପକ୍ଷରୁ ୧୫ ବର୍ଷ ଧରି ଖେଳିବା ସବୁଠାରୁ ସ୍ୱର୍ଣ୍ଣିମ ସମୟ ଥିଲା । ବିସିସିଆଇର ଅଧ୍ୟକ୍ଷ ଭାବେ ମଧ୍ୟ କାମ କରିଛି ।

ଏବେ କିଛି ବଡ଼ କରିବାକୁ ଲକ୍ଷ୍ୟ ରଖିଛି ବୋଲି ଗାଙ୍ଗୁଲି କହିଛନ୍ତି । ସୂଚନା ଅନୁସାରେ, ବିସିସିଆଇ ଅଧ୍ୟକ୍ଷ ପଦରୁ ଗାଙ୍ଗୁଲିଙ୍କ ଯିବା ଏକପ୍ରକାର ନିଶ୍ଚିତ ହୋଇସାରିଛି । ତେବେ ଏହାକୁ ନେଇ ଟିଏମସି, ବିଜେପି ଉପରେ ବର୍ଷିଛି । ଗାଙ୍ଗୁଲି ବିଜେପି ଦଳରେ ସାମିଲ୍ ନହେବାରୁ ତାଙ୍କୁ ଜାଣିଶୁଣି ବୋର୍ଡରୁ ହଟାଯାଉଥିବା ଟିଏମସି କହିଛି । ତେବେ ଟିଏମସିର ଅଭିଯୋଗକୁ ଭିତିହୀନ କହିଛି ବିଜେପି ।