ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ନାଗଫାଶରେ ରାଜନୀତି ପାଣି ଗୋଳିଆ। ସମ୍ପର୍କରେ ଥିବା ବହୁ ବିଧାୟକ ଓ ମନ୍ତ୍ରୀଙ୍କ ଛାତିରେ ଛନକା।

203

କନକ ବ୍ୟୁରୋ: ଅର୍ଚ୍ଚନାଙ୍କ ନାଗଫାଶରେ ବଡ ବଡ ବ୍ୟବସାୟୀ, ନେତା ପଡିଥିବା ନେଇ ଫଟୋ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ବଢିଛି । ଆଗକୁ ଆଉ କାହାର ନାଁ ଆସିବ ସେନେଇ ପ୍ରମାଦ ଗଣୁଛନ୍ତି ନେତା ଓ ବିଧାୟକ । କାରଣ, ଅର୍ଚ୍ଚନାଙ୍କ ଘରକୁ ବଡବଡିଆଙ୍କ ଯିବାଆସିବା ଲାଗି ରହୁଥିଲା । ସେମାନଙ୍କୁ ହନିଟ୍ରାପରେ ଫସାଇ ସେ ବ୍ଲାକମେଲ କରୁଥିଲେ ବୋଲି ଅଭିଯୋଗ ବି ଆସିଛି । ସବୁଠାରୁ ବଡ କଥା ହେଲା କିଛି ବିଧାୟକଙ୍କ ସହ ସମ୍ପର୍କକୁ ନେଇ ଝଡ ଉଠିଛି । ପ୍ରାୟ ସବୁଦଳର ବିଧାୟକ ଅର୍ଚ୍ଚନାଙ୍କ ସାନ୍ନିଧ୍ୟରେ ରହୁଥିବା ଚର୍ଚ୍ଚା ହେବା ପରେ ପାଣି ଗୋଳିଆ ହୋଇଛି

କୁହାଯାଉଛି, ଅର୍ଚ୍ଚନାଙ୍କ ଲିଙ୍କରେ ବହୁ ବଡବଡିଆ ନେତା ଓ ବିଧାୟକ ଅଛନ୍ତି । କିନ୍ତୁ ଯେଉଁ ବଡ ବଡିଆଙ୍କ ନାଁ ଆସିଛି ଗଣମାଧ୍ୟମକୁ ଆସି ଖବରକୁ ଖଣ୍ଡନ କରୁନାହାନ୍ତି । ମାତ୍ର ହାତଗଣତି ନେତା ଆସି ପ୍ରତିକ୍ରିୟା ଦେଇଛନ୍ତି । ତେଣୁ ଲୋକଙ୍କ ମନରେ ବି ନେତାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । ଘଟଣାରେ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ହୋଇଥିବାରୁ ତଦନ୍ତର ଗତି କୁଆଡେ ଯିବ ସେ ଉପରେ ସମସ୍ତଙ୍କ ନଜର ରହିଛି । ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଛି, ପୁଲିସର ତଦନ୍ତ କୁଆଡେ ଯାଉଛି ସେ ନେଇ କୌଣସି ସୂଚନା ମିିଳିପାରୁନାହିଁ ।

ଗୋଟିଏ ପଟେ ଫଟୋରେ ନଜର ଆସୁଥିବା ନେତାଙ୍କ ନୀରବତା, ଅନ୍ୟପଟେ ପୁଲିସ ଚୁପ ରହିବା ସୋସିଆଲ ମିଡିଆରେ ସମାଲୋଚନା ପାଇଁ ଖୋରାକ ଯୋଗାଇଛି । ବ୍ଲାକମେଲ ରାଣୀଙ୍କ ସହ ୧୮ ବିଧାୟକଙ୍କ ସମ୍ପୃକ୍ତି ଥିବା କିଏ ଚର୍ଚ୍ଚା କରୁଛି ତ ଆଉ କିଛି ସାମାଜିକ ଗଣମାଧ୍ୟମରେ ୭୦ରୁ ଅଧିକ ବିଧାୟକଙ୍କ ସମ୍ପର୍କ ଥିବା ଅଭିଯୋଗ ହେଉଛି । ଲୋକଲଜ୍ଜା ଓ ସାମାଜିକ ଭାବମୂର୍ତି କ୍ଷୂର୍ଣ୍ଣ ହେବା ଭୟରେ କେହି ମୁହଁ ଖୋଲୁନାହାନ୍ତି । ଯାହା କାହାଣୀ ତିଆରି କରିବାକୁ ଅଧିକ ଖୋରାକ ଯୋଗାଇଛି । ବିରୋଧୀ ମଧ୍ୟ ସେହି କାହାଣୀ ଆଧାରରେ ଶାସକ ଦଳକୁ ଟାର୍ଗେଟ କରୁଛନ୍ତି ଆଉ ବିରୋଧୀ ଦଳର ନେତାଙ୍କ ଫଟୋ ମଧ୍ୟ ଘୁରିବୁଲିଥିବାରୁ ଶାସକ ଦଳ ବେଶୀ ପ୍ରତିକ୍ରିୟାଶୀଳ ହେଉନାହିଁ ।