ରାଜ୍ୟର ୨ଶହ ୯୧ଟି ସ୍ଥାନରେ ଜଳୁଛି ଜଙ୍ଗଲ : ୩୪ଟି ସ୍ଥାନରେ ଭୀଷଣ ନିଆଁ, ଶିମିଳିପାଳର ୩ଟି ସ୍ଥାନରେ ବନାଗ୍ନି ପଏଂଟ ଚିହ୍ନଟ

ସେପଟେ କୋର ଏରିଆରେ ପହଂଚିଲେ କେନ୍ଦ୍ରିୟ ଟିମ୍; ନିଆଁ ଲାଗିବା କାରଣ ଅନୁଧ୍ୟାନ ସହ ନିରାକରଣ ବାହାର କରିବେ ବାଟ

125

କନକ ବ୍ୟୁରୋ : ଶିମିଳିପାଳରେ ପହଂଚି କେନ୍ଦ୍ରୀୟ ଟିମ ନିଆଁ ଲାଗିବାର କାରଣ ଅନୁଧ୍ୟାନ କରିବା ସହ ଜଙ୍ଗଳ ନିଆଁର ସ୍ଥିତି ପରଖୁଛି । ଗତକାଲି ଶିିମିଳିପାଳର ନିଆଁ ଲାଗିଥିବା କିଛି ଅଂଚଳ ବୁଲି ଦେଖିଥିବା ବେଲେ ଆଜି କୋର ଏରିଆ ଜେନାବିଲ ଓ ଅପର ବାରହାକାମୁଡ଼ା ରେଂଜରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଛି କେନ୍ଦ୍ରିୟ ପ୍ରତିନିଧି ଦଳ ।

କାଲି ନୂଆ ଦିଲ୍ଲୀରୁ ଏନଟିସିଏ ଆଇଜି ଅମିତ ମଲ୍ଲିକ ପହଂଚିବା ପରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ଉପ ମହାନିର୍ଦ୍ଦେଶକ ସୁବ୍ରତ ମହାପାତ୍ରଙ୍କ ସହ ଅପରାହ୍ନରେ ଶିମିଳିପାଳରେ ପହଂଚିଥିଲେ । ଏହାପରେ କରଞ୍ଜିଆ, ଠାକୁରମୁଣ୍ଡା, ଅପର ବାରହାକାମୁଡା ବନାଂଚଳ ବୁଲି ଦେଖିଛନ୍ତି । ଅନ୍ୟପଟେ ପରିବେଶବିତ ଦାବି କରୁଛନ୍ତି ଏବେ ବି ଶିମିଳିପାଳର ଅନେକ ସ୍ଥାନରେ ନିଆଁ ଲାଗିଛି । ଡୁକୁରା, ଭଞ୍ଜବସା, ପୋଡିଡିହାରେ ଏବେ ଜଙ୍ଗଲ ଜଳୁଥିବା କୁହାଯାଉଛି ।

ସେହିପରି ରାଜ୍ୟରେ କେତୋଟି ସ୍ଥାନରେ ଜଙ୍ଗଲ ଜଳୁଛି ତାର ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଟାସ୍କଫୋର୍ସ ମୁଖ୍ୟ । ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆର ତଥ୍ୟକୁ ଆଧାର କରି ଆଇଏଫଏସ ସନ୍ଦୀପ ତ୍ରିପାଠୀ ଟ୍ୱିଟ କରିଛନ୍ତି ଯେ, ରାଜ୍ୟରେ ଆଜି ୨୯୧ଟି ବନାଗ୍ନି ପଏଂଟ ଚିହ୍ନଟ ହୋଇଛି । ତେବେ ୩୪ଟି ସ୍ଥାନରେ ନିଆଁ ଭୟଙ୍କର ରହିଛି ଓ ନିରନ୍ତର ଜଳୁଛି । ଶିମିଳିପାଳର କେବଳ ୩ଟି ସ୍ଥାନରେ ନିଆଁ ଜଳୁଥିବା ସେ ଟ୍ୱିଟ କରି ସୂଚନା ଦେଇଛନ୍ତି ।