ଶଶାଙ୍କକ ପାଖରେ ବିଶ୍ୱର ଅଧିକାଂଶ ଦେଶର ଖବରକାଗଜ  । ୧୮୪୦ ମସିହାର ଖବରକାଗଜକୁ ନିଜ ଛୋଟ ସଂଗ୍ରାହଳୟରେ ଦେଇଛନ୍ତି ସ୍ଥାନ ।

127

କନକ ବ୍ୟୁରୋ : ପେସା ତାଙ୍କର ଖବର କାଗଜ ସଂଗ୍ରହ କରିବା । କେବଳ ଓଡ଼ିଶା ନୁହେଁ, ସମଗ୍ର ବିଶ୍ୱର ଛୋଟ ଠାରୁ ବଡ଼ ବଡ଼ ଖବର କାଗଜ ସଂଗ୍ରହ କରି ତାକୁ ସାଇତି ରଖିବା ତାଙ୍କର ସଉକ । ଆଉ ଏହି ସଉକକୁ ସେ ମ୍ୟୁଜିୟମରେ ସ୍ଥାନିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଦାବି କରିଛନ୍ତି । ଆମେ କହୁଛୁ ‘ପେପରମ୍ୟାନ୍ ଇଣ୍ଡିଆ’ ଭାବେ ପରିଚିତ ଶଶାଙ୍କ ଶେଖର ଦାଶଙ୍କ କଥା ।

ବୁଧବାର ଥିଲ ବିଶ୍ୱ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ । ଏହି ଦିନ ଖବରକାଗଜ ସଂଗ୍ରହ କରି ଗିନିଜ୍ ରେକର୍ଡ କରିଥିବା ଓଡ଼ିଆ ଶଶାଙ୍କ ରାଜ୍ୟ ସରକାରଙ୍କୁ ଏକ ଖବରକାଗଜ ମ୍ୟୁଜିୟମ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି । ଏହାସହିତ ତାଙ୍କ ଦ୍ୱାରା ସଂଗୃହିତ ଖବରକାଗଜକୁ ସେ ମ୍ୟୁଜିୟମକୁ ଦାନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ନିକଟରେ ସେ ଇଟାଲୀର ସେରିଗୋ ବୋଦାନୀଙ୍କ ରେକର୍ଡ ଭାଙ୍ଗି ଗିନିଜ୍ ରେକର୍ଡ କରିଛନ୍ତି । ରାଜ୍ୟରେ ଖବରକାଗଜ ମ୍ୟୁଜିୟମ ପ୍ରତିଷ୍ଠା ପାଇଁ ଶଶାଙ୍କ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ଇମେଲ୍ ଜରିଆରେ ଚିଠି ଲେଖିଥିଲେ । ସେ ୨୦୦୦ ମସିହାରୁ ଖବରକାଗଜ ସଂଗ୍ରହ କରିବା ଆରମ୍ଭ କରିଥିଲେ । ପରେ ସେ ଅନ୍ୟ ଭାଷାର ଖବରକାଗଜ ଓ ଏହା ପରେ ଭରତର ବିଭିନ୍ନ ରାଜ୍ୟର ଖବରକାଗଜ ସଂଗ୍ରହ କରିଥିଲେ ।

ଏହାରି ଭିତରେ ୫୧୦୦ ପ୍ରକାରର ୧୦ହଜାରରୁ ଅଧିକ ଖବରକାଗଜ ସଂଗ୍ରହ କରିସାରିଛନ୍ତି । ସେଥିମଧ୍ୟରୁ ୧୫୩ଟି ଦେଶର ୯୪ଟି ଆଂଚଳିକ ଭାଷାର ଖବରକାଗଜ ରହିଛି । ଏମିତି କରି ଶଶାଙ୍କ ତିନିଥର ତିନିଥର ଲିମକା, ଥରେ ଇଣ୍ଡିଆ ବୁକ୍, ଥରେ କ୍ରେଡେନ୍ସ ବୁକ୍ ଓ ଥରେ ଓଏମଜି ରେକର୍ଡ ବୁକର ସାମିଲ୍ ହୋଇଛନ୍ତି । ସୋସିଆଲ ମିଡିଆ ଜରିଆରେ ବିଭିନ୍ନ ଦେଶର ଲୋକଙ୍କ ଠାରୁ ଏହି ଖବରକାଗଜ ସଂଗ୍ରହ କରିବାରେ ଲାଗିଛନ୍ତି ଶଶାଙ୍କ  ।