ଶନିବାର ୧୯ ଜିଲ୍ଲାରେ ସ୍କୁଲ ବନ୍ଦ । ଜାଣନ୍ତୁ, କେଉଁ କେଉଁ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ…

1,113

କନକ ବ୍ୟୁରୋ: ବାତ୍ୟା ଜୱାଦ୍ ପାଇଁ ଆସନ୍ତାକାଲି ବନ୍ଦ ରହିବ ସ୍କୁଲ । ରାଜ୍ୟର ୧୯ ଜିଲ୍ଲାରେ ଆସନ୍ତାକାଲି ବିଦ୍ୟାଳୟ ବନ୍ଦ ରହିବ । ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଅଛି । ତା ସହିତ  କିଛି ସ୍ଥାନରେ ପବନ ବହିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ତେଣୁ ଏହାକୁ ଆଖି ଆଗରେ ୧୯ ଜିଲ୍ଲାରେ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

ଆସନ୍ତାକାଲି ଗଞ୍ଜାମ, ଗଜପତି, ପୁରୀ , ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, କୋରାପୁଟ, ରାୟଗଡା, କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, ଯାଜପୁର, ମାଲକାନଗିରି, ମୟୂରଭଞ୍ଜରେ ସ୍କୁଲ ବନ୍ଦ ରହିବ । ଖାଲି ସେତିକି ନୁହେଁ, ଯେଉଁ ସ୍କୁଲରେ ଆସନ୍ତାକାଲି କିଛି ପରୀକ୍ଷା ହେବାକୁ ଥିବ । ତା ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ସୁପରଭିଜନରେ ହେବ । ଏଥିପାଇଁ ସ୍କୁଲର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ସ୍କୁଲରେ ଉପସ୍ଥିତ ରହିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ତେବେ ଜିଲ୍ଲାପାଳ ଏହାକୁ ନଜର ରଖିବେ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଶେଷ ମୁହୂର୍ତ୍ତ ଯାଏଁ ବାତ୍ୟା ଜୱାଦକୁ ନେଇ ଲାଗିରହିଥିବା ଦ୍ୱନ୍ଦ୍ୱକୁ ଦୂର କରିଛି ପାଣିପାଗ ବିଭାଗ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଜୱାଦ’ ଉତ୍ତର- ଉତ୍ତର ପଶ୍ଚିମ ଦିଗରେ ଗତି କରି ଶନିବାର ସୁଦ୍ଧା ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡି଼ଶା ଉପକୂଳରେ ପହଞ୍ଚିବ । ପରେ ରି-କର୍ଭ କରି ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତି କରିବ ଓ ରବିବାର ମଧ୍ୟାହ୍ନ ବେଳକୁ ପୁରୀ ନିକଟରେ ସ୍ଥଳଭାଗକୁ ଛୁଇଁବା ସମ୍ଭାବନା ରହିଛି । ତେବେ ଉପକୂଳ ଓଡିଶା ସଂଲଗ୍ନ ହୋଇ ଏହା ପଶ୍ଚିମବଙ୍ଗ ଆଡକୁ ଚାଲିଯିବ ବୋଲି କହିଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ବାତ୍ୟା ‘ଜୱାଦ’ ପୁରୀ ଉପକୂଳର ନିକଟବର୍ତୀ ହେଲାବେଳକୁ ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିପାରେ । ସମୟ ସମୟରେ ୧୦୦ କିଲୋମିଟର ବେଗରେ ଝଟକା ଅନୁଭୂତ ହେବ । କିନ୍ତୁ ପ୍ରବଳ ବର୍ଷା ହେବାନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ପ୍ରଭାବରେ ବର୍ଷା ଆରମ୍ଭ ହୋଇସାରିଥିବା ବେଳେ ମଧ୍ୟରାତ୍ରିରେ ପବନର ବେଗ ବଢିବା ଅନୁମାନ କରାଯାଉଛି ।  ବିଶେଷ କରି ପୁରୀ ସମେତ ଗଞ୍ଜାମ, ଗଜପତି ଓ ଜଗତସିଂହପୁରରେ ବର୍ଷା ଓ ପବନର ବେଗ ଅଧିକ ରହିବ । ଶନିବାର ଏସବୁ ଜିଲ୍ଲାରେ ୪୫ରୁ ୫୫ କିମି ବେଗରେ ପବନ ବହିପାରେ । ରବିବାର ବାତ୍ୟା ଲ୍ୟାଣ୍ଡଫଲ କଲାବେଳକୁ ଘଂଟାପ୍ରତି ୮୦ରୁ ୯୦ କିମି ରହିବ ପବନର ବେଗ ।