ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଆକ୍ସନରେ ଦିଲ୍ଲୀ ସରକାର । ବାୟୁ ପ୍ରଦୂଷଣ ପାଇଁ ରାଜଧାନୀର ସମସ୍ତ ସ୍କୁଲ ଏକ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ।

94

କନକ ବ୍ୟୁରୋ: ବାୟୁ ପ୍ରଦୂଷଣ ଯୋଗୁ ଅଣନିଶ୍ୱାସୀ ଦିଲ୍ଲୀବାସୀ । ଦିଲ୍ଲୀର ବାୟୁ ମାନ ଅତ୍ୟନ୍ତ ଖରାପ ସ୍ଥିତିରେ ପହଂଚିଛି । ସପ୍ତାହେରୁ ଅଧିକ ସମୟ ଧରି ଦିଲ୍ଲୀ ଓ ଏହାର ଆଖପାଖ ସହରରେ ଧୂଆଁ ସହ ମିଶ୍ରିତ ଘନ କୁହୁଡି ଯୋଗୁ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଗତକାଲି ରାଜଧାନୀ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୧.୧ ଡିଗ୍ରୀ ସେଲସିୟସ୍ରେ ପହଂଚିଯାଇଥିଲା । ଯାହାକି ଚଳିତ ବର୍ଷ ଶୀତ ଋତୁରେ ସର୍ବନିମ୍ନ ତାପମାତ୍ରା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜି ଦିଲ୍ଲୀର ତାପାମାତ୍ରା ଆହୁରି କମିପାରେ ।

ଆଜି ମଧ୍ୟ ଦିଲ୍ଲୀରେ ବାୟୁର ମାନ ଖରାପ ସ୍ତରରେ ରହିଛି । ଆଇ ଏକ୍ୟୁଆଇ ୩୮୦ ରେକର୍ଡ କରାଯାଇଛି । ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ନେଇ ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତି ଅତ୍ୟନ୍ତ ଗମ୍ଭୀର । ଲୋକେ ନିଜ ଘରେ ମାସ୍କ ପିନ୍ଧି ବୁଲୁଛନ୍ତି । ଏପରି ସ୍ଥିତିରେ ଜରୁରୀକାଳୀନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ଜରୁରୀ ବୈଠକ କରି ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସରକାରଙ୍କ ସହ ପରାମର୍ଶ ପରେ ଲକ୍ଡାଉନ୍ ନେଇ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।…

ଦିଲ୍ଲୀରେ ଜାରି କରାଯାଇଥିବା କଟକଣା …
– ଆସନ୍ତା ଗୋଟିଏ ସପ୍ତାହ ବନ୍ଦ ରହିବ ସ୍କୁଲ
– ଅନ୍ଲାଇନ୍ରେ ଜାରି ରହିବ ପାଠ ପଢା
– ସପ୍ତାହେ ସରକାରୀ କର୍ମଚାରୀ ଅଫିସ୍ ଯିବେ ନାହିଁ
– ସରକାରୀ କାମ ଘରୁ କରିବାକୁ ନିର୍ଦ୍ଦେଶ
– ୧୭ ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାମ ଉପରେ ରୋକ୍
– ଦିଲ୍ଲୀରେ ପାର୍କିଂ ଚାର୍ଜ ୩ରୁ ୪ ଗୁଣା ବୃଦ୍ଧି
– ଇଟା ଭାଟି କିଛି ଦିନ ବନ୍ଦ ରଖିବାକୁ ନିର୍ଦ୍ଦେଶ
– ନିୟମିତ ଭାବେ ଦିଲ୍ଲୀର ରାସ୍ତାକୁ ସଫା କରାଯିବ