‘ମୁଖ୍ୟ ନିର୍ବାଚନ କମିଶନର’ ନିଯୁକ୍ତି ପ୍ରକ୍ରିୟା । କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ନିରପେକ୍ଷ ନିଯୁକ୍ତି ପାଇଁ ଦେଲେ ପରାମର୍ଶ

402

କନକ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁୁକ୍ତି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ନିଜ ପସନ୍ଦ ଅନୁସାରେ କାର୍ଯ୍ୟରତ ବ୍ୟୁରୋକ୍ରାଟଙ୍କୁ ଯେପରି ନିର୍ବାଚନ କମିଶନର ପଦରେ ନିଯୁକ୍ତି ଦିଆଯାଉଛି, ତାକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି । ରାଜନୀତିରେ ନଥିବା ତଥା ସ୍ୱଚ୍ଛ ବ୍ୟକ୍ତିବିଶେଷଙ୍କୁ ଏହି ପଦବୀରେ ଅବସ୍ଥାପିତ କରିବା ସହ ସ୍ୱଚ୍ଛତା ଓ ନିରପେକ୍ଷତା ଭିତିରେ ବ୍ୟକ୍ତି ବିଶେଷଙ୍କୁ ନିଯୁକ୍ତ କରିବା ଲାଗି ସୁପ୍ରିମକୋର୍ଟ ପରାର୍ମଶ ଦେଇଛନ୍ତି । କାର୍ଯ୍ୟରତ ବ୍ୟୁରୋକ୍ରାଟଙ୍କୁ ସିଇସି ଓ ଇସି ପଦରେ ବାରମ୍ବାର ନିଯୁକ୍ତି କରାଯାଉଥିବାରୁ ଏହାକୁ ନେଇ କୋର୍ଟ ଅସନ୍ତୋଷ ଜାହିର କରିଛନ୍ତି । ନିର୍ବାଚନ କମିଶନଙ୍କୁ ବିଭିନ୍ନ ବାହ୍ୟଚାପରୁ ମୂକ୍ତ ରଖିବା ପ୍ରସଙ୍ଗରେ ଆଗତ ପିଟିସନ ଉପରେ ଜଷ୍ଟିସ କେ.ଏମ ଯୋଶେଫ, ଅଜୟ ରସ୍ତୋଗୀ, ଅନିରୁଦ୍ଧ ବୋଷ, ହୃଷୀକେଶ ରୟ, ସି.ଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି ।

ଶୁଣାଣି ବେଳେ ସୁପ୍ରିମକୋର୍ଟ ମୁଖ୍ୟ ନିର୍ବାଚନ କମିଶନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରିଛନ୍ତି । ପଚାରିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କୌଣସି ସାଂଘାତିକ ଅଭିଯୋଗ ଆସେ, ତେବେ ମୁଖ୍ୟ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେଇପାରିବେ କି? ଯଦି ମୁଖ୍ୟ ନିର୍ବାଚନ କମିଶନ ଦୁର୍ବଳ ଥିବେ, ତାହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ । ତେଣୁ ମୁଖ୍ୟ ନିର୍ବାଚନ କମିଶନ ପାଇଁ ଏଭଳି ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତ କରାଯିବା ଦରକାର, ଯିଏ ପ୍ରଧାନମନ୍ତ୍ରୀଙ୍କୁ ଦଣ୍ଡିତ କରିପାରୁଥିବେ ଏବଂ ପ୍ରଶ୍ନ ପଚାରି ପାରୁଥିବେ । ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ ସମ୍ବିଧାନରେ ମୁଖ୍ୟ ନିର୍ବାଚନ କମିଶନର ଓ ଦୁଇ ନିର୍ବାଚନ କମିଶନରଙ୍କୁ ଗୁରୁତ୍ୱପୂର୍ଣ୍ଣ କ୍ଷମତା ଦିଆଯାଇଛି । ସେଥିପାଇଁ ଏମାନଙ୍କ ନିଯୁକ୍ତି ବେଳେ ନିରପେକ୍ଷ ଓ ପାରଦର୍ଶିତା ରହିବା ଦରକାର । ଯାହାଦ୍ୱାରା ଏହି ପଦବୀ ପାଇଁ ଶ୍ରେଷ୍ଠ ବ୍ୟକ୍ତି ଚୟନ କରାଯାଇପାରିବ ।

ସେପଟେ ସୁପ୍ରିମକୋର୍ଟ ବୟାନ ଉପରେ ଜବାବ ରଖିଛନ୍ତି କେନ୍ଦ୍ର ସରକାର । କହିଛନ୍ତି, ଯୋଗ୍ୟ ବ୍ୟକ୍ତିଙ୍କୁ ଦିଆଯାଉଛି ନିଯୁକ୍ତି । ସିଇସି ଓ ଇସି ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ୨୦୧୮ ମସିହା, ଅକ୍ଟୋବର ୨୩ ତାରିଖରେ ଏକ ଆବେଦନ ହୋଇଥିଲା । ଆବେଦନରେ ଅଭିଯୋଗ ହୋଇଥିଲା ଯେ କେନ୍ଦ୍ର ସରକାର ଏକତରଫା ଭାବେ ନିର୍ବାଚନ କମିଶନରଙ୍କ ନିଯୁକ୍ତି କରୁଛନ୍ତି ।