ତିହାର ଜେଲରୁ ଆସିଲା ନୂଆ ଭିଡିଓ । ଜେଲ ଭିତରେ ମନ୍ତ୍ରୀଙ୍କୁ ଷ୍ଟାର ହୋଟେଲ ଖାଦ୍ୟ

148

କନକ ବ୍ୟୁରୋ : ଜେଲ ଭିତରେ ମନ୍ତ୍ରୀ ଖାଉଛନ୍ତି ସୁସ୍ୱାଦୁ ଖାଦ୍ୟ । କେତେବେଳ ମନପସନ୍ଦର ଫଳ ତ ପୁଣି କେତେବେଳେ ଡ୍ରାଏଫୁଟ । ଖଟ ଉପରେ ଭଳିକି ଭଳି ଖାଦ୍ୟଗୁଡିକ ପ୍ଲେଟ ଉପରେ ପରଷା ଯାଇଥିବା ସ୍ପଷ୍ଟଭାବେ ଏହି ସିସିଟିଭ ଭିଡିଓରେ ଦେଖିବାକୁ ମିଳିଛି । ସିସିଟିଭି ଭିଡିଓରେ ସ୍ପଷ୍ଟଭାବେ ଜଣାପଡୁଛି କି ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଯେଉଁ ଖାଦ୍ୟ ଖାଉଛନ୍ତି ତାହା ଆଦୌ ଜେଲର ରନ୍ଧା ଖାଦ୍ୟ ନୁହେଁ । ବଂର କୌଣସି ହୋଟେଲ ତିଆରି ଖାଦ୍ୟ । କେବଳ ଗୋଟିଏ ବେଳା ନୁହେଁ ସବୁ ସମୟରେ ଏଭଳି ଷ୍ଟାର ହୋଟେଲର ସୁସ୍ୱାଦ ଖାଦ୍ୟ ଦିଲ୍ଲୀ ମନ୍ତ୍ରୀଙ୍କୁ ପରଷା ଯାଉଛି    । ଆଉ ଜେଲରେ ଥାଇ ମଧ୍ୟ ମନ୍ତ୍ରୀ ଭିଭିଆଇପି ସେବାର ମଜା ନେଉଛନ୍ତି । ଭିଡିଓକୁ ବିଜେପି ନିଜ ଅଫିସିଆଲ ଟ୍ୱିଟର ପେଜରେ ଅପଲୋଡ କରି ଆମ ଆଦମୀ ପାର୍ଟି ଉପରେ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଛି । ସେପଟେ କିଛି ଦିନ ପୂର୍ବରୁ ଆମ ଆଦମୀ ପାର୍ଟି ଓ ସତ୍ୟେନ୍ଦ୍ର ଜୈନଙ୍କ ପକ୍ଷରୁ ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟରେ ଏକ ଆବେଦନ ଦାୟର କରାଯାଇଥିଲା ।

କୋର୍ଟରେ ମନ୍ତ୍ରୀ କହିଥିଲେ——-
-ଗତ ୬ମାସ ହେବ ସେ ଜେଲରେ ସଠିକ ଭାବେ ଖାଦ୍ୟ ଖାଇ ପାରୁନାହାନ୍ତି
-ଏହା ଭିତରେ ମୁଠାଏ ଦାନା ପାଟିକୁ ନେଇ ନାହାନ୍ତି
-୬ମାସ ଭିତରେ ତାଙ୍କର ୨୮କେଜି ଓଜନ ହ୍ରାସ ପାଇଛି
– ବିନା ମନ୍ଦିର ଦର୍ଶନରେ ରନ୍ଧା ଖାଦ୍ୟ ଖାଇପାରିବେନି
-ଜେଲ ପ୍ରଶାସନକୁ ଫଳମୂଳ ଖାଦ୍ୟ ପାଇଁ ଅନୁରୋଧ କରିଛନ୍ତି କିନ୍ତୁ ତାଙ୍କୁ ମିଳୁନି
– କ୍ରମଶଃ ତାଙ୍କ ଓଜନ ହ୍ରାସ ପାଉଛି ଓ ସ୍ୱାସ୍ଥ୍ୟବସ୍ଥା ବିଗୁଡିଛି

ତେବେ ତିହାର ଜେଲ ପ୍ରଶାସନ କହିଛି ଯେ ଏହା ଭିତରେ ସତ୍ୟେନ୍ଦ୍ର ଜୈନଙ୍କ ୮କେଜି ଓଜନ ବୃଦ୍ଧି ପାଇଛି । ଅନ୍ୟପଟେ ତିହାର ଜେଲ ବିରୋଧରେ ମନ୍ତ୍ରୀ ଆଣିଥିବା ଅଭିଯୋଗ ଓ ଜେଲ ଭିତରୁ ଆସୁଥିବା ଏହି ଭିଡିଓରେ କୌଣସି ତାଳମେଳ ଖାଉନଥିବା ଯୋଗୁଁ ପ୍ରଶ୍ନ ଘେରକୁ ଆସିଛି ଆମ ଆଦମୀ ପାର୍ଟି ।

ପ୍ରଶ୍ନ ଉଠୁଛି କାହିଁକି ମନ୍ତ୍ରୀଙ୍କୁ ଜେଲ ଭିତରେ ଏଭଳି ଭିଭିଆଇପି ସେବା ମିଳୁଛି? ଅନ୍ୟ କଏଦୀଙ୍କ ପରି ସତ୍ୟେନ୍ଦ୍ରଙ୍କୁ କଣ ପାଇଁ ରଖାଯାଉନି? ଜେଲ ପ୍ରଶାସନ ଘଟଣାକୁ ନେଇ କଣ ପାଇଁ ଚୁପ ରହିଛି? ପୂର୍ବରୁ ଜେଲ ମନ୍ତ୍ରୀ ଥିବାରୁ କଣ ସତ୍ୟେନ୍ଦ୍ରଙ୍କ ପାଇଁ ଏବେ ଭଙ୍ଗାଯାଉଛି ଜେଲର ନିୟମ ?

ଲଗାତାର କିଛି ଦିନ ହେବ ସତ୍ୟେନ୍ଦ୍ର ଜୈନଙ୍କୁ ନେଇ ଗୋଟେ ପରେ ଗୋଟେ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି । ପ୍ରଥମେ ଜେଲ ଭିତରେ ମନ୍ତ୍ରୀଙ୍କୁ ମାଲିସ, ମାଲିସ କରୁଥିବା ବ୍ୟକ୍ତି ଜଣେ ଦୁଷ୍କର୍ମ ଅପରାଧୀଭାବେ ସୂଚନା ମିଳିବା ଆଉ ଏବେ ମନ୍ତ୍ରୀଙ୍କୁ ଜେଲ ଭିତରେ ହୋଟେଲ ଖାଦ୍ୟ ଦିଆଯାଉଥିବା ଭିଡିଓ ସାମ୍ନାକୁ ଆସିଛି । ଏହି ସମସ୍ତ ଘଟଣାକୁ ଏକ ବଡ ପ୍ରସଙ୍ଗ କରି ଏବେ ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରୁଛି ବିଜେପି ।