ସତ ହେଲା ଶ୍ରଦ୍ଧାଙ୍କ ଡର । ହତ୍ୟା ଆଶଙ୍କା ହେଲା ସତ, ପୂର୍ବରୁ ଅଫତାବ ଦେଇଥିଲା ଧମକ

154

କନକ ବ୍ୟୁରୋ :  ଦୁଇବର୍ଷ ତଳେ ଶ୍ରଦ୍ଧାଙ୍କ ଦ୍ୱାରା ଲେଖାଯାଇଥିବା ଏହି ଚିଠି ବଡ଼ ଖୁଲାସା କରିଛି । ୨୦୨୦ ମସିହା, ନଭେମ୍ବର ୨୩ ତାରିଖରେ ମୁମ୍ବାଇର ତୁଲିଞ୍ଜ ପୋଲିସକୁ ଶ୍ରଦ୍ଧା ଚିଠି ଲେଖି ଅଫତାବ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ । ସେହି ଚିଠିରେ ଶ୍ରଦ୍ଧା ଯାହା କିଛି ଲେଖିଥିଲେ, ତାହା ତାଜୁବ କଲା ଭଳି । ନିଜ ପୁରୁଷ ବନ୍ଧୁ ବା ଅଫତାବ, ଶ୍ରଦ୍ଧାକୁ ବ୍ଲାକମେଲ୍ ସହ ଖଣ୍ଡଖଣ୍ଡ କରି କାଟି ମାରିଦେବାକୁ ଧମକ ଦେଇଥିଲା । ଆଉ ଏହାର ଦେଢ଼ ବର୍ଷ ଶ୍ରଦ୍ଧା ସହ ଠିକ୍ ସେମିତି କିଛି ଘଟିବ ବୋଲି କେବେ କେହି ଭାବିନଥିଲେ ।

ଶ୍ରଦ୍ଧାଙ୍କ ହାତଲେଖା ସେହି ଚିଠି…

“ମୁଁ ଶ୍ରଦ୍ଧା ବିକାଶ ୱାଲକର, ବୟସ ୨୫ । ଅଫତାବ ଅମୀନ ପୁନାୱାଲ, ବୟସ ୨୬ ଉପରେ ରିପୋର୍ଟ କରିବାକୁ ଚାହୁଁଛି । ଅଫତାବ ମୋତେ ମାରପିଟ୍ ଓ ଗାଳିଗୁଲଜ କରୁଛି । ମୋତେ ଖଣ୍ଡଖଣ୍ଡ କରି ମାରିବାକୁ ଧମକ ଦେଉଛି ଓ ବ୍ଲାକମେଲ୍ କରୁଛି । ମୋତେ ୬ମାସ ଧରି ମାରପିଟ୍ କରି ଆସୁଛି । କିନ୍ତୁ ପୋଲିସ୍ ପାଖକୁ ଯିବାକୁ ମୋର ସାହସ ନାହିଁ । କାରଣ ସେ ମୋତେ ଜୀବନରୁ ମାରିଦେବାକୁ ଧମକ ଦେଇଛି । ମୋତେ ମାରପିଟ୍ କରିବା ଓ ମାରିଦେବାକୁ ଧମକ ଦେବା କଥା ତା’ର ବାପା-ମା’ ଜାଣନ୍ତି । ସେମାନେ ମଧ୍ୟ ଜାଣନ୍ତି ଯେ ଆମେ ଏକାଠି ରହୁଛୁ । ସେଥିପାଇଁ ସେମାନେ ସପ୍ତାହନ୍ତରେ ଘରକୁ ଆସନ୍ତି । ଏପର୍ଯ୍ୟନ୍ତ ର୍ମୁ ତା’ ସାଥିରେ ରହିଛି, କାରଣ ମୋତେ ଲାଗିଲା ଆମେ ଖୁବଶୀଘ୍ର ବିବାହ କରିବୁ । ତାଙ୍କ ପରିବାର ଲୋକେ ଆମକୁ ଆଶୀର୍ବାଦ କରିଥିଲେ    । ମୋର ଯେପରି କୌଣସି ଶାରୀରିକ କ୍ଷତି ନଘଟିବ, ସେଥିପାଇଁ ଏବେ ମୁଁ ତା’ ସହ ଆଉ ରହିବାକୁ ଚାହୁଁନାହିଁ ।”

ସେପଟେ ମଙ୍ଗଳବାର ସନ୍ଧ୍ୟାରେ ଅଫତାବର ପଲିଗ୍ରାଫ୍ ଟେଷ୍ଟ କରାଯାଇଛି । ପଲିଗ୍ରାଫ ଟେଷ୍ଟ ବେଳେ ତାକୁ ପ୍ରାୟ ୨୦ ପ୍ରଶ୍ନ ପଚରାଯାଇଥିଲା । ପଲିଗ୍ରାଫ ଟେଷ୍ଟ ବେଳେ ଅଫତାବର ଭିଡିଓ ସାମ୍ନାକୁ ଆସିଛି । ପଲିଗ୍ରାଫ ଟେଷ୍ଟ ପରେ ଏବେ ଅଫତାବର ନାର୍କୋ ଟେଷ୍ଟ କରାଯିବାର ସମ୍ଭାବନା ରହିଛି । ନାର୍କୋ ଟେଷ୍ଟ ପାଇଁ କୋର୍ଟ ଗତ ସପ୍ତାହରେ ଅନୁମତି ଦେଇସାରିଛନ୍ତି । ପଲିଗ୍ରାଫ ଟେଷ୍ଟ ପୂର୍ବରୁ ଅଫତାବକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦିଲ୍ଲୀର ସାକେତ କୋର୍ଟରେ ହାଜର କରାଯାଇଥିଲା । ଜଜଙ୍କ ଆଗରେ ଅଫତାବ ଶ୍ରଦ୍ଧାକୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲା । ସେପଟେ ଶ୍ରଦ୍ଧାଙ୍କ ଖଣ୍ଡବିଖଣ୍ଡିତ କିଛି ହାଡ଼ ଓ ଦାନ୍ତ ମାଢ଼ିର କିଛି ଅଂଶ ଦିଲ୍ଲୀ ପୋଲିସ ଜବତ କରିଛି ।

ସେପଟେ ଶ୍ରଦ୍ଧା ହତ୍ୟାକାଣ୍ଡରେ ଦିଲ୍ଲୀ ପୋଲିସ୍ ପାଲଘର ଜିଲ୍ଲାର ବସେଇ ଅପରାଧିକ ଶାଖାରେ ହତ୍ୟାକାରୀ ଅଫତାବର ତିନି ବନ୍ଧୁଙ୍କ ବୟାନ ରେକର୍ଡ କରିଛି । ଦିଲ୍ଲୀ ପୋଲିସ୍ ଏପର୍ଯ୍ୟନ୍ତ ୧୭ ଜଣ ଲୋକଙ୍କ ବୟାନ ରେକର୍ଡ କରିସାରିଛି । ହେଲେ ଏପର୍ଯ୍ୟନ୍ତ ପୋଲିସ୍ ହାତରେ ଶ୍ରଦ୍ଧାଙ୍କୁ ହତ୍ୟା ପାଇଁ ବ୍ୟବହୃତ ମାରଣାସ୍ତ୍ର ଓ ତାଙ୍କ ଖଣ୍ଡଖଣ୍ଡ ମୃତଦେହ ଲାଗିନାହିଁ । ଯାହା ମାମଲାକୁ ଆହୁରି ଜଟିଳ କରୁଥିବା ନେଇ ଚର୍ଚ୍ଚା ହେଉଛି ।