ପୁଣି ଚଳଚଞ୍ଚଳ ହେବ କି ସାରଥୀ ସାମ୍ରାଜ୍ୟ? ପ୍ରବଚନ ପାଇଁ ଅନୁମତି ଦେବାକୁ ହାଇକୋର୍ଟରେ ଆବେଦନ କଲେ ଭଣ୍ଡ ସାରଥୀ ।

1,443

କନକ ବ୍ୟୁରୋ : ସତସଙ୍ଗ ହେବ, ପ୍ରବଚନ ଶୁଭିବ? ପୁଣିଥରେ ପ୍ରବଚନ ଦେବେ ସାରଥୀ? ପୁଣିଥରେ ସଭା କରି ପ୍ରବଚନ ଦେବାକୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଭଣ୍ଡ ସାରଥୀ । ପ୍ରବଚନ ପାଇଁ ଅନୁମତି ଦେବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି ଭଣ୍ଡ ସାରଥୀ ଓରଫ ସନ୍ତୋଷ ରାଉଳ । ଜେଲରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ପ୍ରବଚନ ଦେବାକୁ ଅନୁମତି ମାଗିଛନ୍ତି ସାରଥୀ । ସଜା କାଟୁଥିବା ବେଳେ ମଧ୍ୟ ସାରଥୀ ଜେଲ ଭିତରେ ପ୍ରବଚନ ଦେଉଥିବାର ଖବର ସାମ୍ନାକୁ ଆସିଥିଲା ।

ଏହାପୂର୍ବରୁ ଗତ ଜୁଲାଇ ୨୫ରେ ଦୀର୍ଘ ଚାରି ବର୍ଷ ଜେଲରେ ରହିବା ପରେ ସର୍ତ୍ତମୂଳକ ଜାମିନରେ ମୁକୁଳିଥିଲେ ସାରଥୀ । ସେତେବେଳେ ହାଇକୋର୍ଟ ଜାମିନ ଦେବା ସହ ସାରଥୀଙ୍କ ୫ଟି ସର୍ତ୍ତ ରଖିଥିଲେ ।

– ଜେଲରୁ ମୁକୁଳିବା ପରେ ସାକ୍ଷୀଙ୍କୁ ପ୍ରଭାବିତ କରି ପାରିବେନି ସାରଥୀ । କୋଣସି ବି ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।
– ବାରିମୂଳ ଆଶ୍ରମକୁ ସାରଥୀଙ୍କ ଯିବା ଉପରେ କଟକଣା ଜାରି କରିଥିଲେ ହାଇକୋର୍ଟ ।
– କେବଳ ବାରିମୂଳ ନୁହେଁ ବରଂ ବିନା ଅନୁମତିରେ ରାଜ୍ୟ ବାହାରକୁ ମଧ୍ୟ ସାରଥୀଙ୍କ ଯିବା ଉପରେ ମଧ୍ୟ କଟକଣା ଲଗାଇଥିଲେ କୋର୍ଟ ।
– ଜେଲରୁ ବାହାରିବା ପରେ କୌଣସି ସ୍ଥାନରେ ଧର୍ମୀୟ ସଭା କରି ପାରିବେନି ସାରଥୀ । ସାଧାରଣ ସ୍ଥାନରେ ଧର୍ମ ସଭା କରିବାକୁ ମନା କରିଥିଲେ କୋର୍ଟ ।
– ଉପରୋକ୍ତ ୪ ବଡ ବଡ ନିର୍ଦ୍ଦେଶ ସହ ତଦନ୍ତକାରୀ ଅଧିକାରୀଙ୍କୁ ପୂର୍ଣ୍ଣମାତ୍ରାରେ ତଦନ୍ତରେ ସାହାଯ୍ୟ କରିବାକୁ ସାରଥୀକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଜାମିନ ପାଇବା କିଛି ସମୟ ମଧ୍ୟରେ ରାଜ୍ୟ ବାହାରକୁ ଚାଲିଯାଇଥିଲେ ସାରଥୀ । କୋର୍ଟଙ୍କ ଠାରୁ ଅନୁମତି ନେଇ ସାରଥୀ ରାଜ୍ୟ ବାହାରକୁ ଯାଇଥିବା ତାଙ୍କ ଓକିଲ କହିଥିଲେ ।