ବିଗିଡିବାରେ ଲାଗିଛି ଦେଶର ଅର୍ଥାବସ୍ଥା । ତଳକୁ ଖସିଲା ଜିଡିପି, ଜଟିଳ ହେଉଛି ସ୍ଥିତି…

821

କନକ ବ୍ୟୁରୋ: ବିଗିଡ଼ିବାରେ ଲାଗିଛି ଦେଶର ଆର୍ଥିକ ସ୍ଥିତି । ଧିରେ ଧିରେ ମାନ୍ଦାବସ୍ଥା ଆଡ଼କୁ ମୁହାଁଇଛି ଭାରତ । କାରଣ ତିନିମାସରେ ତଳକୁ ଖସିଲା ଜିଡିପିର ପାରଦ । କେନ୍ଦ୍ରୀୟ ପରିସଂଖ୍ୟନ ସଂଗଠନ (ସିଏସଓ) ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ମୁତାବକ ଭାରତର ଜିଡିପି ୫.୮ରୁ ଖସିଆସି ୫ ପ୍ରତିଶତକୁ ଛୁଇଁଛି । ଗତ ଏପ୍ରିଲରୁ ଜୁନ ମାସ ମଧ୍ୟରେ ଜିଡ଼ିପି ଅଭିବୃଦ୍ଧି କ୍ଷେତ୍ରରେ ବ୍ରେକ ଲାଗିଛି ଯାହାଦ୍ୱାରା ଦେଶର ଆର୍ଥିକ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଯାଇଛି ।

ଅନ୍ୟପଟେ ସବୁଠାରୁ ଚିନ୍ତାଜନକ ବିଷୟ ହେଲା, ବିଗତ ସାଢ଼େ ୬ ବର୍ଷ ମଧ୍ୟରେ ଭାରତୀୟ ଆର୍ଥାବସ୍ଥାର ଏହା ସବୁଠାରୁ କମ୍ ଜିଡିପି ବୋଲି ଜଣାପଡ଼ିଛି । ଆଉ ମାନ୍ୟୁଫାକଚରିଂ କ୍ଷେତ୍ର ଏବଂ କୃଷି ବିକାଶ କ୍ଷେତ୍ରରେ ଏହାର ସବୁଠାରୁ ବଡ଼ ପ୍ରଭାବ ପଡ଼ିଛି ବୋଲି ରିପୋର୍ଟ କହୁଛି । ତେବେ ମାନ୍ୟୁଫାକଚରିଂ ବିକାଶ କ୍ଷେତ୍ରରେ ଗତ ୩ ମାସ ମଧ୍ୟରେ ଜିଡିପି ୧୨.୧ ପ୍ରତିଶ୍ରତରୁ ହ୍ରାସ ପାଇ ୦.୬ ପ୍ରତିଶତ ହୋଇଯାଇଛି । ସେହିଭଳି କୃଷି ବିକାଶ କ୍ଷେତ୍ରରେ ଜିଡିପି ୫.୧ ପ୍ରତିଶତରୁ ଖସି ୨ ପ୍ରତିଶତ ହୋଇଯାଇଛି ।

ସେପଟେ ଗତବର୍ଷ ପ୍ରକାଶ ପାଇଥିବା ତ୍ରିମାସ ଜିଡ଼ିପି ଥିଲା ୮.୨ ହେଲେ ୨୦୧୮-୧୯ ଆର୍ଥିକ ଜିଡ଼ିପି ଥିଲା ୫.୮ । ଯାହା ବର୍ତ୍ତମାନ ୫ ପ୍ରତିଶତ ରହିଛି । ତେବେ ଗତ ସାଢ଼େ ୬ ବର୍ଷ ମଧ୍ୟରେ ଚୂଡ଼ାନ୍ତ ତ୍ରୈମାସିକର ଅର୍ଥନୈତିକ ଫଳାଫଳ ସର୍ବନିମ୍ନ ବୋଲି କେନ୍ଦ୍ରୀୟ ପରିସଂଖ୍ୟନ ସଂଗଠନ (ସିଏସଓ) ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି ।