ସରପଞ୍ଚ ହେବ ତ ଏମିତି  । ଘର ଘର ବୁଲି ବୁଝୁଛନ୍ତି ଦୁଃଖ । ପ୍ରଶଂସାରେ ସ୍ଥାନୀୟ ବାସିନ୍ଦା

285

କନକ ବ୍ୟୁରୋ: ହାତରେ ଖାତା ଓ କଲମ୍ । ପାଦରେ ଚାଲିଚାଲି ଘର ଘର ବୁଲୁଛନ୍ତି ଲୋକଙ୍କ ଦୁଃଖସୁଖ ପଚାରି ବୁଝୁଛନ୍ତି । ଲୋକେ କହୁଥିବା ସମସ୍ୟାକୁ ଖାତାରେ ଟିପି ରଖୁଛନ୍ତି । ଏହାକୁ ଖୁବ୍ ଶୀଘ୍ର ସ୍ଥାନୀୟ ପ୍ରଶାସନଙ୍କ ନଜରକୁ ଆଣି ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି ସରପଞ୍ଚ ବାବୁ । ତାଙ୍କର ଏପରି କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କ ଖୁସି କହିଲେ ନସରେ ।

ଆମେ କହୁଛୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର ଜେନାଙ୍କ କଥା । ନିର୍ବାଚନ ବେଳେ ଲୋକଙ୍କ ସମସ୍ୟା ଦୂରେଇବାକୁ କଥା ଦେଇଥିଲେ । ତାଙ୍କୁ ଭରସା କରି ଲୋକେ ତାଙ୍କୁ ଭୋଟ ଦେଇ ଜିତାଇଲେ  ।ଏବେ ସମୟ ଆସିଛି ଲୋକଙ୍କ ସମସ୍ୟା ବୁଝିବେ, ସେମାନଙ୍କୁ ଦୁଃଖ ଦୂରେଇବାକୁ ଯଥାସାଧ୍ୟ ଚେଷ୍ଟା କରିବେ । କାହାର ରାସନ କାର୍ଡ ହେବ, କାହାକୁ ଭତ୍ତା ମିଳିବ, ଆଉ କାହାରିକୁ ଯଥାଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଘର ଖଣ୍ଡେ ମିଳିବ ତ ଆଉ କେଉଁଠି ରାସ୍ତା ହେବ ସେଥିପାଇଁ ତତ୍ପର ସରପଞ୍ଚ ରବୀନ୍ଦ୍ର ଜେନା । ନିଜ ପଞ୍ଚାୟତ ଲୋକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଅଣ୍ଟା ଭିଡିଛନ୍ତି ସରପଞ୍ଚ ।

ଘର ଘର ବୁଲି ଲୋକଙ୍କ ଦୁଃଖସୁଖ ବୁଝିଛନ୍ତି ସରପଞ୍ଚ ରବୀନ୍ଦ୍ର ଜେନା । ଲୋକଙ୍କ ସବୁ ସମସ୍ୟାକୁ ଖାତା ଟିପି ରଖୁଛନ୍ତି, ଯାହାକୁ ଖୁବଶୀଘ୍ର ସମାଧାନ କରିବାକୁ ବାହାରିଛନ୍ତି । ଲୋକଙ୍କ ସମସ୍ୟା ଦୂରେଇ ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ତାଙ୍କର ମୂଳ ଲକ୍ଷ୍ୟ ।

ସରପଞ୍ଚଙ୍କ ଏପରି ପଦକ୍ଷେପରେ ସ୍ଥାନୀୟ ଲୋକେ ବେଶ୍ ଖୁସି । ସମସ୍ତଙ୍କ ମୁର୍ହଁରେ ଗୋଟିଏ କଥା, ସରପଞ୍ଚ ହେବତ ଏମିତି ।