ଯାଜପୁରରେ ବେଧଡକ ଚାଲିଛି ବାଲି ଲୁଟ୍ । ବେଆଇନ୍ ଭାବେ ବୈତରଣୀ ନଦୀ ଶଯ୍ୟାରେ ବାଲି ଖୋଳୁଛନ୍ତି ମାଫିଆ ।

188

କନକ ବ୍ୟୁରୋ: ଯାଜପୁର ଜିଲ୍ଳାରେ ବେଧଡକ ଭାବେ ଦିନକୁ ଦିନ ବାଲି ମାଫିଆଙ୍କର ରାଜୁତି ବଢ଼ିବାରେ ଲାଗିଛି । କେତେବେଳେ ଜିଲ୍ଲା ପ୍ରଶାସନର ଜାଣତରେ ତ ଆଉ କେତେ ବେଳେ ଚୋରାରେ କୋଟି କୋଟି ଟଙ୍କାର ବାଲିଲୁଟ ହେଉଛି । ତେବେ ବୈତରଣୀ ନଦୀ ଶର୍ଯ୍ୟାର ଆରମ୍ଭରୁ ଶେଷ ଯାଏ ବାଲି ମାଫିଆମାନେ ବେଆଇନ ବାଲି ଉତ୍ତୋଳନ କରିଚାଲିଛନ୍ତି । ଯାହାର ଗୁମର ଖୋଲିଛି ସିଧେଶ୍ୱର ପୀଠର ଆବିଷ୍କୃତ ଶିବ ଲିଙ୍ଗ ।

୩ଟି ପ୍ରମୁଖ ନଦୀ ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ସହ ୨-୩ଟି ଶାଖା ନଦୀ ଯାଜପୁର ଜିଲ୍ଲା ଦେଇ ପ୍ରବାହିତ ହେଉଛି । ନଦୀର ବିଭିନ୍ନ ସ୍ଥାନରୁ ବାଲି ଉଠାଣ ନେଇ ରାଜସ୍ୱ ବିଭାଗ ନିଲାମ ଦେଇଛି । କିନ୍ତୁ ନିଲାମ ସ୍ଥାନ ବାଦ୍ ଅନେକ ସ୍ଥାନରୁ ବେଆଇନ ଭାବେ ବାଲି ଉଠୁଛୁ । ବୈତରଣୀ ନଦୀ ବାଲିର ମୂଲ୍ୟ ଅନ୍ୟ ନଦୀ ଅପେକ୍ଷା ଅଧିକ, ତେଣୁ ମାଫିଆ ଜେସିବି ଲଗାଇ ନଦୀ ଶର୍ଯ୍ୟାକୁ ଖୋଳି ପକାଉଛନ୍ତି । ଆଉ ସିଧେଶ୍ୱର ଠାରେ ନଦୀ ଶର୍ଯ୍ୟାରୁ ମିଳିଥିବା ଶିବ ଲିଙ୍ଗ ବାଲି ଚୋରିର ଗୁମର ଖୋଲିଛି । ଜେସିବି ଲଗାଇ ବାଲି ଖୋଳା ବେଳେ ବାହାରିଥିଲା ଶିବ ଲିଙ୍ଗ । ଏ ଖବର ପାଇ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଂଚିବା ପରେ ଭୟରେ ଜେସିବି ସହ ସ୍ଥାନ ଛାଡି ପଳାଇଥିଲେ ମାଫିଆ ।

ବେଆଇନ୍ ବାଲି ଉଠାଇ ଯୋଗୁଁ ବିପଦ ମୁହଁକୁ ଠେଲି ହୋଇଯାଇଛି ଓଡିଶାର ପ୍ରମୁଖ ଅସ୍ଥି ବିସର୍ଜନ ସ୍ଥଳୀ ସିଧେଶ୍ୱର ମନ୍ଦିର ଓ ଘାଟ । ମନ୍ଦିର ଟ୍ରଷ୍ଟି ତଥା ଦଶରଥପୁର ତହସିଲଦାର ବୈତରଣୀ ପଠାରୁ ବାଲି ଚୋରି ଅଭିଯୋଗକୁ ସ୍ୱୀକାର କରିଛନ୍ତି । ସେପଟେ ବେଆଇନ୍ କାରବାର ଉପରେ ଚଢାଉ କରି ରାଜ୍ୟର ଶ୍ରେଷ୍ଠ ୫ଟି ଜିଲ୍ଲା ତାଲିକାରେ ଯାଜପୁର ଜିଲ୍ଲା ଥିବା କହିଛନ୍ତି ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର । ଦିନରାତି ବୈତରଣୀ ନଦୀରୁ ବାଲି ଲୁଟ୍ କରୁଥିବା ବେଳେ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ । ଜିଲ୍ଲା ପ୍ରଶାସନ ଓ ବାଲି ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଚୋରା କାରବାର ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।