ଫିଫା ଫୁଟବଲ ବିଶ୍ୱକପ ଫାଇନାଲ ଟକ୍କର ! ପୁରୀ ବେଳାଭୂମିରେ ବାଲୁକାକଳା ଜରିଆରେ ଦୁଇ ପ୍ରତିଦ୍ୱନ୍ଦୀଙ୍କୁ ଶୁଭେଚ୍ଛା ।

40

କନକ ବ୍ୟୁରୋ: ଫିଫା ଫୁଟବଲ ବିଶ୍ୱକପର ଆଜି ଅନ୍ତିମ ଲଢ଼େଇ । ବିଶ୍ୱକୁ ମିଳିବ ଫୁଟବଲ ଜଗତର ବାଦଶାହା । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ଫିଫା ମହାକୁମ୍ଭରେ ମୁହାଁମୁହିଁ ହେବେ ଫ୍ରାନ୍ସ ଓ କ୍ରୋଏସିଆ । ଏନେଇ ସମଗ୍ର ବିଶ୍ୱରେ ଫୁଟବଲ ଫିଭର ଦେଖିବାକୁ ମିଳିଛି । ଆଉ ଏହାର ଝଲକ ମଧ୍ୟ ପୁରୀ ସମୂଦ୍ର ବେଳାଭୂମିରେ ଦେଖିବାକୁ ମିଳିଛି । ବାଲୁକାଶିଳ୍ପୀ ମାନସ ସାହୁ ଫିଫା ଫୁଟବଲ ବିଶ୍ୱକପର ଫାଇନାଲରେ ମୁହାଁମୁହିଁ ହେବାକୁଥିବା ଫ୍ରାନ୍ସ ଓ କ୍ରୋଏସିଆକୁ ନିଜ ବାଲୁକା କଳା ଦ୍ୱାରା, ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏହି ବାଲୁକାକଳରେ ଫ୍ରାନ୍ସ ଓ କ୍ରୋଏସିଆ ଜାତୀୟ ପତାକାର ଚିତ୍ରଅଙ୍କନ କରି ‘ବିଗ ଫାଇଟ’ ଥିମ୍ ଜରିଆରେ ପ୍ରତିପାଦନ କରିଛନ୍ତି । ୧୫ଫୁଟ ଚଉଡାରେ ନିର୍ମିତ ଏହି ବାଲୁକା କଳାରେ ବିଭିନ୍ନ ଶାମୁକା ଓ ପଥରଖଣ୍ଡରେ ଖଞ୍ଜିତ ହୋଇଛି ।

ଇତିହାସରେ ଗୋଟିଏ ଥର ଫିଫା ବିଶ୍ୱକପର ଟାଇଟେଲ ହାତେଇଥିବା ଫ୍ରାନ୍ସ ପାଇଁ ଦ୍ୱିତୀୟଥର ଚାମ୍ପିୟନ ହେବା ପାଇଁ ସୁଯୋଗ ରହିଛି । ଅପରପକ୍ଷେ ପ୍ରଥମଥର ପାଇଁ ଫିଫା ଫୁଟବଲ ବିଶ୍ୱକପର ଫାଇନାଲରେ ପହଁଚିଥିବା କ୍ରେଏସିଆ ମଧ୍ୟ ନିଜର ପ୍ରଥମ ଟାଇଟେଲ ହାତେଇବା ପାଇଁ ପ୍ରସ୍ତୁତ ଅଛି । ଫ୍ରାନ୍ସ ଓ କ୍ରୋଏସିଆ ପୂର୍ବରୁ ୧୯୯୮ ବିଶ୍ୱକପ୍ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ । ସେହି ମୁକାବିଲାକୁ ଫ୍ରାନ୍ସ ୨-୧ରେ ଜିତି ନେଇଥିଲା । ଏଣୁ ଆଜି କ୍ରୋଏସିଆ ପାଖରେ ଉଭୟ ପ୍ରତିଶୋଧ ଏବଂ ଇତିହାସ ରଚିବାର ସୁଯୋଗ ରହିଛି । ଋଷିଆର ଲୁଝିଙ୍କି ଷ୍ଟାଡିୟମରେ ରାତି ୮ଟା ୩୦ମିନିଟରେ ଖେଳାଯିବ ଏହି ଫିଫା ଫୁଟବଲ ମହାକୁମ୍ଭର ଫାଇନାଲ ମ୍ୟାଚ ।