ସ୍ମୃତିରେ ସହିଦ୍ ମନୋଜ କୁମାର: ଝୁରୁଛି ବାଙ୍କି ମାଟି ଓ ପରିବାର; ବାପାଙ୍କ ବାଟରେ ଚାଲିବାକୁ ପ୍ରସ୍ତୁତ ପୁଅ

149

କନକ ବ୍ୟୁରୋ: ସହିଦ୍ ସ୍ୱାମୀକୁ ଝୁରୁଛି ସ୍ତ୍ରୀ । ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ସ୍ୱାମୀଙ୍କ ପାଇଁ ଅଜି ସେ ଗର୍ବିତ । ଆଉ ଗୋଟେ ପଟେ ପ୍ରିୟତମଙ୍କ ସ୍ମୃତିରେ ଏବେବି ଘୁମୁରି କାନ୍ଦୁଛି ଅବୁଝା ମନ । ।

ଆମେ କହୁଛୁ ବାଙ୍କି ବ୍ଲକ୍ ଗୌଢଛେଲି ଗାଁର ସହିଦ୍ ମନୋଜ କୁମାର ଭଂଜଙ୍କ କଥା ।ଯିଏ ୧୯୯୯ ମସିହାର କାରଗିଲ ଯୁଦ୍ଧରେ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ । ତାଙ୍କର ବଳିଦାନକୁ ଆଜି ଝୁରୁଛି ମା’ ମାଟି । କାରଗିଲ ଯୁଦ୍ଧର ଅପରେସନ୍ ରକ୍ଷକରେ ସାମିଲ ଥିବା ମନୋଜ କୁମାର ଶତ୍ରୁପକ୍ଷକୁ କଡା ଜବାବ ଦେଇଥିଲେ । ଆଗକୁ ଦର୍ପ ଗତିରେ ମାଡିଚାଲିଥବାବେଳେ ଶତ୍ରୁ ଗୁଳିରେ ପ୍ରାଣ ହରାଇଥିଲେ । ଏହି ବଳିଦାନ ତାଙ୍କ ପରିବାର ଓ ଗାଁକୁ ଦେଇଛି ସ୍ୱତନ୍ତ୍ର ପରିଚୟ । ସ୍ୱାମୀଙ୍କ ଏହି ବଳିଦାନକୁ ନେଇ ସ୍ତ୍ରୀ ହରପ୍ରିୟା ବି ବେଶ୍ ଗର୍ବିତ ।

ବାପାଙ୍କ ଦେଶ ପାଇଁ ସେବା ଓ ବଳିଦାନକୁ ଗର୍ବିତ ପୁଅ । ବାପାଙ୍କ ଚଲାପଥର ପଥିକ ହେବାକୁ ଇଚ୍ଛୁକ ପୁଅ ସରୋଜ । ସୁଯୋଗ ମିଳିଲେ ସେନାରେ ଯୋଗ ଦେବାକୁ ସେ ମନସ୍ଥ କରିଛନ୍ତି । ଅନ୍ୟପଟେ ସ୍ଥାନୀୟ ବାସିନ୍ଦା ବି ମନୋଜଙ୍କ ବଳିଦାନକୁ ଏବେବି ମନରେ ସାଇତି ରଖିଛନ୍ତି।

ଦେହ ଚାଲିଯାଏ ହେଲେ ରହିଯାଏ ମଣିଷର କୃତି ।ତା ପୁଣି ଯଦି ଦେଶପାଇଁ ହୁଏ ସେ ଗାଥା ତ କାଳକାଳକୁ ରହିଯାଏ । ଏହି କ୍ରମରେ ବାଙ୍କିର ମନୋଜ କୁମାରଙ୍କ କୃତି ଚିର ସ୍ମରଣୀୟ ।