ବୁଢା ବୟସରେ ବଢିଲା ପୁଅର ବୋଝ: ଚଳୁନି ଗୋଡ ହାତ, ଚିକିତ୍ସାରେ ବାଧକ ଅର୍ଥାଭାବ, ମିଳିନି ସରକାରୀ ସହାୟତା

94

କନକ ବ୍ୟୁରୋ:  ବଦଳୁଥିବା ସମୟ ସତରେ କେଡେ ନିର୍ଦ୍ଦୟ । ବୁଝେନି ଅସହାୟ ଦୁଃଖୀ ମଣିଷର ଆତୁର ଆବେଗ । ବେଳେବେଳେ ନିଜ ସହ ପୋଛିି ନେଇଯାଏ ମଣିଷର ସୁଖ ଟିକକ । ବଦଳାଇଦିଏ ମଣିଷର ଜୀବନ ପଥକୁ । କରିଦିଏ ପଙ୍ଗୁ, ଅଥର୍ବ । ଛାଡିଦିଏ ସାରା ଜୀବନ ମରିମରି ବଂଚିବା ପାଇଁ । ଏମିତି ଜୀବନ ବଂଚୁଥିବା ଜଣେ ଅସହାୟ ଯୁବକ ହେଉଛନ୍ତି ଅଦ୍ୱୈତ ମଳିକ । ଯାଜପୁର କୋରେଇ ବ୍ଲକ ଗୋଳେଇ ପଂଚାୟତ ମିର୍ଜାପୁର ଗାଁ ବାସିନ୍ଦା ରବୀନ୍ଦ୍ର ମଲିକଙ୍କ ଗୋଟିଏ ପୁଅ ବୋଲି ପୁଅ ଅଦ୍ୱୈତ ।

ଘରେ ପୁଅ ଜନ୍ମକୁ ନେଇ ନୂଆଣିଆ ଚାଳଘରେ ବି ଖେଳିଯାଇଥିଲା ଖୁସିର ଫୁଆର । ବାପା ମା’ବେଶ୍ ଖୁସି ଥିଲେ । ହେଲେ ସେ ଖୁସି ବେଶି ଦିନ ରହିଲାନି । ବିଧାତା ବାମ ହେଲା । ୧୦ ବର୍ଷ ଯାଏଁ ପୁଅ ଠିକ୍ ଥିଲା । ପାଠ ବି ଭଲ ପଢୁଥିଲା । ହେଲେ ଦିନେ ତା ଆଣ୍ଠୁରେ ଫୁଲା ପଡିଲା । ପାଖ ଡାକ୍ତରଖାନାକୁ ଯାଇ ଚିକିତ୍ସା କରିଥିଲେ ବି ରୋଗ ଦିନକୁ ଦିନ ବଢିଥିଲା । ଧିରେ ଧିରେ ଦୁଇ ଗୋଡ ଅଚଳ ହୋଇପଡିଲା । କିଛି ଦିନ ବାଡିଧିରି ଚାଲିଲେ । ରୋଗ ପୁଣି ମେରୁଦଣ୍ଡକୁ ଧରିଲା । ଅଦ୍ୱୈତ ଆଉ ଚାଲିପାରିଲେ ନାହିଁ । ଦିନ ମଜୁରି କାମ କରୁଥିବା ବାପା ରବୀନ୍ଦ୍ର ମଳିକ ଧାରଉଧାର କରି ପୁଅକୁ କଟକ ନେଇଗଲେ ସତ । ହେଲେ ଅର୍ଥାଭାବ ଯୋଗୁଁ ସେଠାରେ ଚିକିତ୍ସା ପୁରା ହୋଇପାରିଲାନି । ଫଳରେ ଗାଁକୁ ପୁଅକୁ ଫେରାଇ ଆଣିବାକୁ ବାଧ୍ୟ ହେଲେ ।

ଯେଉଁ ବୟସରେ ବାପା ମାଙ୍କ ଦାୟିତ୍ୱ ପୁଅ ନେବା କଥା ସେ ବୟସରେ ବଢିଲା ପୁଅକୁ ବୋହୁଛନ୍ତି ବାପା ମା’ । ଗୋଟିଏ ବୋଲି ପୁଅର ଦୁଃଖ ସହିପରୁନାହାଁନ୍ତି ହେଲେ ଛାତିରେ ପଥର ରଖି ପୁଅର ସବୁ କାମ କରିଚାଲିଛନ୍ତି ମା’ । ପୁଅର ଅବସ୍ଥା ସାଙ୍ଗକୁ ଦାରିଦ୍ର୍ୟର କଷାଘାତ । ଏଯାଏଁ ସରାକାରୀ ଯୋଜନାରେ ଘର ଖଣ୍ଡେ ବି ମିଳିଲାନି । ପୁଅକୁ ଶାରୀରିକ ଭତା ସହ ୧୦ କେଜି ଚାଉଳ ମିଳୁଥିଲା । ସେତକ ବି ଆଉ ମିଳୁନି । ଅନ୍ୟପଟେ ଦରଖାସ୍ତ ଦେଲେ ଏହା ଉପରେ ବିଚାର କରିବେ ବୋଲି କହିଛନ୍ତି ବିଡିଓ ।
ଅଦୈତଙ୍କ ଦୁଃଖତ କେହି ନେଇପାରିବେ ନାହିଁ । ହେଲେ ସରକାରଙ୍କ କିଛି ଆର୍ଥିକ ସହାୟତା ତାଙ୍କୁ ଆଶ୍ୱସ୍ତ କରିପାରନ୍ତା ।