ମୁକେଶ ଅମ୍ବାନୀଙ୍କ ଘର ବାହାରୁ ବୋମା ଭର୍ତ୍ତି କାର୍ ଜବତ ଘଟଣା । ଏନଆଇଏର ଛାନଭିନ ଜୋରଦାର, ଘଟଣା ଦିନ ସିସିଟିଭିରେ କଏଦ ହୋଇଛନ୍ତି ସଚିନ ୱାଜେ ।

511

କନକ ବ୍ୟୁରୋ: ବିିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଂଟିଲିଆ ସମ୍ମୁଖରେ ବିସ୍ଫୋରକ ଭର୍ତ୍ତି କାର ଜବତ କରାଯିବା ଘଟଣାର ଖୋଳତାଡ କରୁଛି ଏନଆଇଏ । ଏହି ମାମଲାରେ ମୁମ୍ବାଇ ପୋଲିସ ଅଫିସର ସଚିନ ୱାଜେ ଗିରଫ ହେବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅମ୍ବାନୀଙ୍କ ଘର ନିକଟରେ ସିସିଟିଭିରେ କଏଦ ହୋଇଥିବା ବ୍ୟକ୍ତି ଜଣକ ସଚିବ ୱାଜେ ବୋଲି କହିଛି ଏନଆଇଏ । ସଚିନ ୱାଜେ ଏକ କୁର୍ତ୍ତା ପାଇଜାମା ପିନ୍ଧି ମୁହଁରେ ରୁମାଲ ବାନ୍ଧି ଯାଉଥିବାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଏହାସହ ୱାଜେଙ୍କ ଠାରୁ ଜବତ ହୋଇଥିବା ଲ୍ୟାପଟପରୁ ସମସ୍ତ ଡାଟା ଡିଲିଟ କରାଯାଇଥିବା ସୂଚନା ମିଳିଛି । ସଚିନ ୱାଜେଙ୍କ କାର୍ଯ୍ୟାଳୟରେ ଚଢାଉ କରି ହାଡଡିର୍ସ୍କ ଓ ଲ୍ୟାପଟପ ଜବତ କରିଛି ଏନଆଇଏ । ଏପରିକି ଏନଆଇଏ ୱାଜେଙ୍କୁ ତାଙ୍କ ମୋବାଇଲ ମାଗିଥିବା ବେଳେ ଏହା କେଉଁଠାରେ ରହିଯାଇଥିବା ସେ କହିଥିଲେ ।

ଆସିଷ୍ଟାଂଟ ପୋଲିସ ଇନ୍ସପେକ୍ଟର ସଚିନ ୱାଜେଙ୍କୁ ୧୩ ତାରିଖ ଦିନ ଦୀର୍ଘ ୧୩ଘଂଟା ଧରି ଗୁଡାଇ ତୁଡାଇ ଏନଆଇଏ ଜେରା କରିବା ପରେ ଶନିବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିଲା । ଆଂଟିଲିଆ ସମ୍ମୁଖରୁ ମିଳିଥିବା ବିସ୍ଫୋରକ ଭର୍ତି କାର ଜବତ ଘଟଣାରେ ସଚିନ ୱାଜେଙ୍କ ସମ୍ପୃକ୍ତି ରହିଥିବା ସେ ନିଜ ସ୍ୱିକାର କରିଥିଲେ । ଅମ୍ବାନୀଙ୍କ ଘର ସମ୍ମୁଖରୁ ବିସ୍ଫୋରକ ଭର୍ତି କାର ମିଳିବା ଘଟଣାରେ ତାଙ୍କ ସମ୍ପୃକ୍ତି ଜଣାପଡିଥିବାରୁ ତାଙ୍କୁ ଗିରଫ କରାଯାଇଥିବା କହିଥିଲା ଏନଆଇଏ ।

ଫେବ୍ରୁୟାରୀ ୨୫ତାରିଖରେ ଅମ୍ବାନୀଙ୍କ ବାସଭବନ ଆଂଟିଲିଆ ସମ୍ମୁଖରେ ଏକ ବିସ୍ଫୋରକ ଭର୍ତି କାର ଉଦ୍ଧାର କରାଯାଇଥିଲା । ଏହା ବିସ୍ଫୋରକ ଭର୍ତି କାରର ମାଲିକ ମନସୁଖ ହେରାନୀ ଜେରାର ସମ୍ମୁଖିନ ହୋଇଥିଲେ । ଏବଂ କିଛି ଦିନ ପରେ ରହସ୍ୟଜନକ ଭାବେ ଏକ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାପରେ ମୃତକଙ୍କ ପରିବାର ସିଧାସଳଖ ସଚିନ ୱାଜେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ । ସବୁଠୁ ବଡ କଥା ହେଉଛି ମହାରାଷ୍ଟ୍ର ସରକାର ସଚିନ ୱାଜେଙ୍କୁ ହିଁ ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସଚିନ ସେତେବେଳେ କ୍ରାଇମବ୍ରାଂଚରେ ଥିଲେ । ଏହାପରେ ଏଟିଏସ ମଧ୍ୟ ତଦନ୍ତ କରୁଥିଲା ।