ପୁଣି ଥାନାକୁ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଘରେ ବିଦ୍ୟୁତ, ଏସି ସଂଯୋଗ କାଟି ଦିଆଯାଇଥିବା ଅଭିଯୋଗ ।

1,531

କନକ ବ୍ୟୁରୋ: ଥମିବାର ନାଁ ନେଉନି ବର୍ଷା- ଅନୁଭବ ବିବାଦ । ପୁଣି ଥାନାକୁ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଘରେ ହଇରାଣ କରାଯାଉଥିବା ନେଇ ପୁରୀ ଘାଟ ଥାନାରେ ଅଭିଯୋଗ କଲେ ବର୍ଷା । ସେ ରହୁଥିବା ଘରେ ବିଜୁଳି କାଟି ଦିଆଯାଉଛି । ଏସି ସଂଯୋଗ ବି କାଟି ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି ବର୍ଷା ।

ତେବେ ଦୀର୍ଘ ଦିନର ନିରବତା ପରେ ପୁଣି ବର୍ଷା- ଅନୁଭବ ବିବାଦ ସାମ୍ନାକୁ ଆସିଛି । ବୈବାହିକ ବିବାଦ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଦାଣ୍ଡରେ ପଡି ହାଟରେ ଗଡିଥିଲା । ଉଭୟ ଉଭୟଙ୍କୁ ମିଡିଆ ସାମ୍ନାରେ ଦୋଷାରୋପ କରୁଥିଲେ ହେଁ ଦୁଇଜଣଙ୍କ ମାମଲା କୋର୍ଟ ଯାଏଁ ଯାଇଥିଲା । ତେବେ ବହୁ ଚର୍ଚ୍ଚିତ ଷ୍ଟାର କପଲଙ୍କ ଭିତରେ ପାରିବାରିକ ବିବାଦ ଦୀର୍ଘ ଦିନ ଧରି ରହି ଆସିଛି । ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବାପାଇଁ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସକୋର୍ଟରେ ଆବେଦନ କରିଥିଲେ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି । ଏହାପରେ ଭରଣ ପୋଷଣ ପାଇଁ କଟକ ଫ୍ୟାମିଲି କୋର୍ଟ ଯାଇଥିଲେ ବର୍ଷା । ପରେ ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ହୋଇଥିବା ମାମଲାକୁ କଟକ ଫ୍ୟାମିଲିକୋର୍ଟ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ଯାଇଥିଲେ ବର୍ଷା । ଏହି ମାମଲାର ଶୁଣାଣି କରି କଟକକୁ ମାମଲା ସ୍ଥାନାନ୍ତର ହୋଇଥିଲା । ଅର୍ଥାତ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତେ ମାମଲାର ଶୁଣାଣି କଟକର ଫ୍ୟାମିଲି କୋର୍ଟରେ ହେବ । ଆଉ ଆଜି ଘରେ ହଇରାଣ କରାଯାଉଥିବା ନେଇ ଥାନାରେ ପୁଣି ଅଭିଯୋଗ କରିଛନ୍ତି ବର୍ଷା ।