ରୁଷୀୟ ପର୍ଯ୍ୟଟକ ଆଣ୍ଡ୍ୟୁଙ୍କୁ ପଚରା ଉଚରା କଲା ପୋଲିସ: କୁଆଡେ କୁଆଡେ ଯାଇଛନ୍ତି ପୋଲିସ ସଂଗ୍ରହ କରୁଛି ପୂରା ବିବରଣୀ

141

କନକ ବ୍ୟୁରୋ: ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା ସାରଦେଶରେ ଚର୍ଚ୍ଚାରେ ରହିଛି । ଏତିକିବେଳେ ଭୁବନେଶ୍ୱର ଷ୍ଟେସନ ଆଗରେ ଆଉ ଜଣେ ରୁଷୀୟ ପର୍ଯ୍ୟଟକ ଶରଣାର୍ଥୀ ଭାବେ ରହିବାକୁ ପ୍ଲାକାର୍ଡ ଧରି ସାହାଯ୍ୟ ମାଗିବାକୁ ଗୁରୁତ୍ୱର ସହ ନେଇଛି ଜିଆରପି । ଆଜି ତାଙ୍କ ନେଇ ପଚରାଉଚୁରା କରିବା ସହ ଓଡିଶାକୁ ଆସିବା ପରେ ସେ କୁଆଡେ କୁଆଡେ ଯାଇଛନ୍ତି ପୂରା ବିବରଣୀ ସଂଗ୍ରହ କରୁଛି ।

ଭୁବନେଶ୍ୱର ରେଳ ଷ୍ଟେସନରେ ରୁଷୀୟନାଗରିକ ଗ୍ଲାଗୋଲେଭ୍ ଆଣ୍ଡ୍ୟୁ, ଏମିତି ଛିଡା ହେବା ଦୃଶ୍ୟକୁ ଗୁରୁତ୍ୱର ସହ ନେଇଛି ଜିଆରପି । ଜଣେ ରୁଷୀୟ ନାଗରୀକ କାହିଁକି ଏମିତି ଛିଡା ହୋଇଛନ୍ତି, ସେ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ, ଶନିବାର ତାଙ୍କୁ ଧରି ନେଇ ପଚରାଉଚୁରା କରୁଛି ଜିଆରପି । ସେ ଓଡିଶାକୁ ଆସିବା ଦିନରୁ କେଉଁଠିକୁ କେଉଁଠିକୁ ଯାଇଛନ୍ତି? କେଉଁଠି କେଉଁଠି ରହିଛନ୍ତି? ସେସବୁର ତଥ୍ୟ ଖୋଜୁଛି ପୋଲିସ୍ ।

ସୂଚନା ଅନୁସାରେ ଆଣ୍ଡ୍ର୍ୟୁ ୨୦୧୬ରୁ ଭାରତକୁ ଆସିଛନ୍ତି । ଗତ ୬ମାସ ହେଲା ତାଙ୍କ ଭିସା ଅବଧି ଶେଷ ହୋଇଯାଇଛି । ଓଡିଶାକୁ ମଧ୍ୟ ବହୁଦିନ ହେବ ଆସି ଅନେକ ସ୍ଥାନରେ ସେ ରହିଛନ୍ତି । ତେବେ ଭାରତ ତାଙ୍କୁ ଭଲ ଲାଗୁ ଥିବାରୁ ସେ ଆଉ ରୁଷ୍ ଫେରିବାକୁ ଚାହୁଁନାହାଁନ୍ତିି ।

ଆଣ୍ଡ୍ରୁ ଧରିଥିବା ପ୍ଲାକାର୍ଡରେ ଲେଖାଥିଲା, ସେ ଜଣେ ରୁଷିଆ ରିଫ୍ୟୁଜି । ସେ ଯୁଦ୍ଧକୁ ବିରୋଧ କରିବା ସହ ପୁଟିନଙ୍କୁ ବିରୋଧ କରନ୍ତି । ତାଙ୍କର ଘର ନାହିଁ, ତାଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଥିଲେ । ଗୋଟିଏ ପଟେ ରାୟଗଡାରେ ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ରୁଷୀୟ ପର୍ଯ୍ୟଟକ ଆଣ୍ଡ୍ର୍ୟୁ ଭୁବନେଶ୍ୱରରେ ଏମିତି ଛିଡା ହେବା ସନ୍ଦେହ ସୃଷ୍ଟି କରିଥିଲା ।