ବିଦାୟ ନେଲା ବର୍ଷ ୨୦୨୨, ନୂଆ ବର୍ଷକୁ ସ୍ୱାଗତ କରୁଛନ୍ତି ଲୋକେ

101

କନକ ବ୍ୟୁରୋ: ସମୟର ଟିକଟିକ୍ ଶବ୍ଦ ସହ ସରିଯାଇଛି ପୁରୁଣା ବର୍ଷ, ବିଦାୟ ନେଇଛି ୨୦୨୨ । ସବୁ ଅପେକ୍ଷାର ଅନ୍ତ ଘଟାଇ ଲୋକଙ୍କ ପାଖକୁ ଆସିଛି ନୂଆବର୍ଷ । କାନ୍ଥରୁ ବଦଳିଯାଇଛି କ୍ୟାଲେଣ୍ଡରର ପୃଷ୍ଠା, ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ପାଦ ଥାପିଛି ୨୦୨୩ ।

ସବୁ ଅନ୍ତ କିଛି ଆରମ୍ଭର ସଙ୍କେତ ଦିଏ । ଏଇ ଯେମିତି ୨୦୨୨ର ଅନ୍ତ ସହ ଆରମ୍ଭ ହୋଇଛି ୨୦୨୩ । ନିଜ ଭାଇ ୨୦୨୨କୁ ସ୍ୱାଗତ କରିଛି ଆଉ ଗୋଟିଏ ଭାଇ ୨୦୨୩ । ଶୀତ ରାତି ଆଉ ଶୀତଳ ପରିବେଶରେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି କୋଟି କୋଟି ବିଶ୍ୱବାସୀ ।

୨୦୨୨ ଅନେକଙ୍କ ଜୀବନରେ ଆଶା ଭରି ଦେଇଛି । କାହା ପାଇଁ ସଫଳତା ଆଣିଛି ତ କାହାକୁ ବିଫଳତାର ରାସ୍ତା ଦେଖାଇଛି । ଦୀର୍ଘ ୨ ବର୍ଷ ଧରି କଲବଲ କରୁଥିବା କରୋନା ଯନ୍ତ୍ରଣାରୁ କିନ୍ତୁ ଏ ବର୍ଷ ଆମକୁ ମୁକ୍ତ କରିଛି । ନା ଥିଲା କଟକଣା ନା ଲାଗିଥିଲା ପର୍ବପର୍ବାଣୀ ଉପରେ ରୋକ । ୨ ବର୍ଷ ପରେ ୨୦୨୨ରେ ଲୋକେ ରଥ ଟାଣିଲେ, ବାଲିଯାତ୍ରା ବୁଲିଲେ ଆଉ ଏବେ ବିନା କଟକଣାରେ ନୂଆ ବର୍ଷ ବି ପାଳୁଛନ୍ତି । ହେଲେ ୨୦୨୩ରେ ହେବ କଣ ଚୀନରେ କରୋନା ତାଣ୍ଡବ ରଚୁଥିବା ବେଳେ ୨୦୨୩କୁ ନେଇ ଏବେଠୁ ଭୟ ବଢିବାରେ ଲାଗିଛି ।

୨୦୨୨ ଯେତିକି ଖୁସି ଦେଇଥିଲା, ସେତିକି ଦୁଃଖ ମଧ୍ୟ ଦେଇଥିଲା । ବଲିଉଡ ଏବଂ ଓଲିଉଡର ଅନେକ ବଡ ବଡ କଳାକାରଙ୍କୁ ହରାଇଛି ଦେଶ । ଯାହାଙ୍କ ଶୂନ୍ୟ ସ୍ଥାନ କେବେ ବି ପୂରଣ ହୋଇପାରିବନି । ପ୍ରଖ୍ୟାତ ଗାୟିକା ବା କୋକିଳ କଣ୍ଠୀ କୁହାଯାଉଥିବା ଲତା ମଙ୍ଗେସକରଙ୍କୁ ହରାଇଥିଲା ଦେଶ । କେବଳ ଲତା ଦିଦି ନୁହନ୍ତି ବଲିଉଡର ଲୋକପ୍ରିୟ ଗାୟକ ବାପି ଲାହିରି, କେକେ, ବିଶିଷ୍ଟ କମେଡିୟାନ ରାଜୁ ଶ୍ରୀବାସ୍ତବଙ୍କୁ ଆମେ ହରାଇଛୁ । ସେହିପରି ଓଲିଉଡରେ ମଧ୍ୟ ଅନେକ କଳାକାର ୨୦୨୨ରେ ଆଖିବୁଜିଛନ୍ତି । ବରିଷ୍ଠ ଅଭିନେତା ମିହିର ଦାସ ଓ ରାଇମୋହନଙ୍କ ମୃତ୍ୟୁ ପ୍ରଶଂସକଙ୍କୁ ଦୁଃଖିତ କରିଥିଲା ।

ଏସବୁ ଭିତରେ ୨୦୨୩ ଏବେ ଅନେକ ସ୍ୱପ୍ନ ନେଇ ଆସିଛି । କରୋନା କଟକଣା ଦୂର ହୋଇ ଯାଇଥିଲେ ବି ଭୟ ଛାତିରୁ ଲିଭିନି । ଆଶା କରୁଛୁ ଆଉ ସେ ଦିନ ନ ଫେରୁ, ଆଉ ସେ ଯନ୍ତ୍ରଣା ଜର୍ଜରିତ ସମୟ ନ ଆସୁ । ୨୦୨୨ ଭଳି ୨୦୨୩ରେ ବି କଟକଣା ମୁକ୍ତ ରହୁ । ଆମେ ଜାଣିଛେ ସବୁ ସ୍ୱପ୍ନ କେବେ ସତ ହୁଏନି କିନ୍ତୁ ଆସନ୍ତୁ ନୂଆ ବର୍ଷରେ ସ୍ୱପ୍ନକୁ ସାକାର କରିବାକୁ ଚେଷ୍ଟା ନିହାତି କରିବା । ଆପଣଙ୍କୁ କନକ ନ୍ୟୁଜ୍ ତରଫରୁ ନୂଆବର୍ଷର ଅନେକ ଅନେକ ଶୁଭେଚ୍ଛା ।