ମକରସଂକ୍ରାନ୍ତିରେ ମୋଦୀଙ୍କ ନୂଆ ଟିମ୍! କିଏ ଆସିବେ କିଏ ଯିବେ?

173

କନକ ବ୍ୟୁରୋ: ଆସନ୍ତା ଜାନୁଆରୀ ଦ୍ୱିତୀୟ ସପ୍ତାହରେ ହୋଇପାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅଦଳବଦଳ । ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି । କୁହାଯାଉଛି ୨୦୨୪କୁ ଫୋକସ କରି ନୂଆ ଟିମ ଗଠନ କରିପାରନ୍ତି ମୋଦି ।

ଚର୍ଚ୍ଚା ଅନୁସାରେ ବଜେଟ ଅଧିବେଶନ ପୂର୍ବରୁ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରାଯାଇପାରେ । ରୋଟେସନ ବେସିସରେ ନୂଆ ଓ ଦକ୍ଷତା ଥିବା ଚେହେରା ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି । ଆଗକୁ ୯ଟି ରାଜ୍ୟର ବିଧାନସଭା ନିର୍ବାଚନ ଥିବାରୁ ଭୋଟ ବ୍ୟାଙ୍କ ବଢ଼ାଇବା ପାଇଁ ସେହି ରାଜ୍ୟର ନେତୃତ୍ୱଙ୍କୁ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିବାର ସମ୍ଭାବନା ଅଧିକ । ଏପରିକି ଗୁଜରାଟ ନିର୍ବାଚନରେ ଆଶାତୀତ ସଫଳତା ପରେ ଦାୟିତ୍ୱରେ ଥିବା ନେତାଙ୍କୁ ପୁରସ୍କୃତ କରିପାରନ୍ତି ମୋଦୀ ।

ବର୍ତମାନ ଓଡ଼ିଶାର ୩ଜଣଙ୍କୁ ମୋଦି ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି । ତେବେ ନୂଆ ମନ୍ତ୍ରିମଣ୍ଡଳ ଦୈାଡ଼ରେ ଅପରାଜିତା ଷଡ଼ଙ୍ଗୀ, ସୁରେଶ ପୂଜାରୀ, ସଙ୍ଗୀତା ସିଂଦେଓ, ପ୍ରତାପ ଷଡ଼ଙ୍ଗୀଙ୍କ ନାଁକୁ ନେଇ ଚର୍ଚ୍ଚା କରାଯାଉଛି । ଦୁଇ ଦୁଇଥର ମୋଦୀଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇଥିଲେ ମଧ୍ୟ ପଶ୍ଚିମ ଓଡିଶାରୁ କାହାରିକୁ ମନ୍ତ୍ରୀ ପଦ ମିଳିନାହିଁ । ତେଣୁ ଆକଳନ କରାଯାଉଛି, ଏଥର ପଶ୍ଚିମ ଓଡିଶାରୁ ପ୍ରତିନିଧିତ୍ୱ ମିଳିପାରେ । କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଓଡ଼ିଶା ଉପରେ ନଜର ରଖିଥିବା କୁହାଯାଉଛି । ଯେହେତୁ ଆଗକୁ ନିର୍ବାଚନ ରହିଛି ତେଣୁ ମନ୍ତ୍ରିମଣ୍ଡଳରେ କିଛି ନୂଆ ଚେହେରାଙ୍କୁ ସାମିଲ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବିଶେଷ କରି ମହିଳାଙ୍କ ପ୍ରତିନିଧିତ୍ୱ ବଢିବା ନେଇ ଆକଳନ କରାଯାଉଛି ।

ଶେଷ ଥର ପାଇଁ ୨୦୨୧ ଜୁନ ୮ରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ହୋଇଥିଲା । ସେତେବେଳେ ୧୨ ଜଣ ମନ୍ତ୍ରୀଙ୍କୁ ଆଉଟ କରିଥିଲେ ମୋଦୀ । ଏମାନଙ୍କ ଭିତରେ କିଛି ବରିଷ୍ଠ ଓ ଲୋକପ୍ରିୟ ଚେହେରା ରହିଥିଲେ । ସମାନ ଢଙ୍ଗରେ ଏଥର ମଧ୍ୟ କିଛି ନେତାଙ୍କୁ ମନ୍ତ୍ରୀ ପଦରୁ ଅବ୍ୟାହତି ଦେଇ ସାଂଗଠିନକ ଦାୟିତ୍ୱ ଦେଇପାରନ୍ତି ମୋଦୀ ।