ବିମାନ ଉଡାଣରେ ବିଳମ୍ବକୁ ନେଇ ଇଣ୍ଡିଗୋ ବିମାନରେ ମାରପିଟ୍ । ଉଡାଣ ସମୟ ବଦଳିବାରୁ ରାଗିଯାଇ ପାଇଲଟଙ୍କୁ ମୁଥ ମାରିଲେ ଯାତ୍ରୀ ।

286

କନକ ବ୍ୟୁରୋ: ବିମାନ ଉଡାଣରେ ଡେରିକୁ ରାଗିଗଲେ ଯାତ୍ରୀ । ଉଡାଣରେ ବିଳମ୍ବ ହେଉଥିବା ଘୋଷଣା କରିବା ବେଳେ ଜଣେ ଯାତ୍ରୀ ରାଗିଯାଇ ପାଇଲଟଙ୍କୁ ମୁଥ ମାରିଛନ୍ତି । ସେହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତକାଲି ଦିଲ୍ଲୀରୁ ଉଡାଣ ଅପେକ୍ଷାରେ ଥିବା ଇଣ୍ଡିଗୋ ବିମାନରେ ଏହି ଘଟଣା ଘଟିଛି ।

ରବିବାର ଦିଲ୍ଲୀ ବିମାନ ବନ୍ଦରରେ ଘନ କୁହୁଡି ଯୋଗୁଁ ପାଖାପାଖି ୧୦୦ଟି ବିମାନର ଉଡାଣ ବିଳମ୍ବିତ ହୋଇଥିଲା । ଦିଲ୍ଲୀରୁ ଗୋଆ ଯିବାକୁ ଥିବା ଇଣ୍ଡିଗୋ ବିମାନର ପାଇଲଟ ପାସେଞ୍ଜ ଚାମ୍ବର୍ସକୁ ଆସି ବିଳମ୍ବିତ ଉଡାଣସୂଚୀ ସଂପର୍କରେ ଘୋଷଣା କରୁଥିଲେ । ବିମାନ ଉଡାଣରେ ବିଳମ୍ବ ଖବର ଶୁଣି ଜଣେ ଯାତ୍ରୀ ରାଗିଯାଇ ନିଜ ସିଟରୁ ଉଠିଆସି, ପାଇଲଟଙ୍କୁ ଚାପୁଡା ମାଡ ମାରିଥିଲେ । ସୂଚନା ଅନୁସାରେ ଯାତ୍ରୀ ଜଣକ ଗୋଆ ଯିବାକୁ ବିମାନ ଟିକେଟ କରିଥିଲେ । ବିମାନରେ ଅଧଘଂଟାରୁ ଅଧିକ ସମୟ ବସିବା ପରେ ବିମାନ ଉଡାଣରେ ଡେରି ନେଇ ଘୋଷଣା କରିବାକୁ ପାସେଞ୍ଜର ଚାମ୍ବରକୁ ଆସିଥିଲେ ପାଇଲଟ । ଅଧଘଂଟାରୁ ଅଧିକ ସମୟ ଧରି ବିମାନରେ ବସି ବସି ବିରକ୍ତ ହୋଇଥିବା ଜଣେ ଯାତ୍ରୀ ପୁଣି ଡେରିରେ ଉଡାଣ ଖବର ଶୁଣି ରାଗରେ ନିୟନ୍ତ୍ରଣ ହରାଇଥିଲେ । ନିଜ ସିଟରୁ ଉଠିଯାଇ ପାଇଲଟଙ୍କୁ ଏକ ଚାପୁଡା ଦେଇଥିଲେ । ଯାତ୍ରୀଙ୍କ ନାମ ସାହିଲ କଟାରିୟା ବୋଲି ଜଣାପଡିଛି । ଘଟଣାର କିଛି ସମୟରେ ସିଆଇଏସଏଫ କର୍ମଚାରୀ ସାହିଲ କଟାରିୟାଙ୍କୁ ବିମାନରୁ ଓହ୍ଲାଇ ନେଇ ଅଟକ ରଖିଥିବା ସୂଚନା ମିଳିଛି ।