ପଦାକୁ ଆସିଲା ରାଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗର ମହାଦୁର୍ନୀତି । ଖାଇଗଲେ ଅଢ଼େଇ କୋଟି ଟଙ୍କା । ପ୍ରକୃତ କାମ ହୋଇନି, ହେଲେ କାଗଜପତ୍ରରେ ହୋଇଛି ରାସ୍ତା କାମ ।

107

କନକ ବ୍ୟୁରୋ: ଗାଁ ଲୋକଙ୍କୁ ପକ୍କା ସଡକ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସବୁ ଦିନିଆ ରାସ୍ତା ନିର୍ମାଣ କରାଯାଉଛି । ହେଲେ କେନ୍ଦ୍ରାପଡା ଆଳି ବ୍ଲକ ଦ୍ୱୀପାଞ୍ଚଳ ଏକମାଣିଆ ପଞ୍ଚାୟତବାସୀଙ୍କୁ ପକ୍କା ସଡକ ଯୋଗାଇ ଦେବାର ସ୍ୱପ୍ନ ଦେଖାଇ କେବଳ କାଗଜ କଲମରେ ରାସ୍ତା କାମ କରି ସାରି ଦିଆଯାଇଛି । ପିଏମଜିଏସୱାଇରେ କେରେଡାଗଡ ଠାରୁ ଏକମାଣିଆ ଯାଏଁ ୨୦୧୬ରୁ ୨୦୧୮ ମଧ୍ୟରେ ୨ କୋଟି ୩୧ ଲକ୍ଷ ଟଙ୍କାରେ ରାସ୍ତା ନିର୍ମାଣ ହୋଇଥିବା ଦର୍ଶାଇ ସରକାରୀ ଟଙ୍କା ବିଲ କରି ଲୁଟି ନିଆଯାଇଛି ମାତ୍ର ଏକମାଣିଆ ପଞ୍ଚାୟତରେ ଆଜି ଯାଏଁ ରାସ୍ତା ନିର୍ମାଣ ହୋଇନି ।

ଦୁର୍ନୀତିର ଗନ୍ତାଘର ପାଲଟିଛି କେନ୍ଦ୍ରାପଡା ରାଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ । ରାସ୍ତା ନିର୍ମାଣ ନାଁରେ ୨ କୋଟି ୩୧ ଲକ୍ଷ ୮୦ ହଜାର ୧୮୮ ଟଙ୍କାର ଦୁର୍ନୀତି ପଦାକୁ ଆସିଛି । ରାଜନଗର ବ୍ଲକ ବାଲିସାହିପାଟଣା ପଞ୍ଚାୟତ ଭେଡିସାହି ଗାଁରେ ଥିବା ରାସ୍ତାରେ ପିଚୁ ଉପରେ ପିଚୁ ପକାଇ ସେହି ରାସ୍ତାକୁ ଆଳି ବ୍ଲକର କେରେଡାଗଡ ଠାରୁ ଏକମାଣିଆ ଯାଏଁ ରାସ୍ତା ନିର୍ମାଣ କରାଯାଇଥିବା ଦର୍ଶାଇ ଫଳକ ଲଗାଯାଇଛି । ଏହି ରାସ୍ତା ଏକମାଣିଆ ନଦୀ ପାର ହେବା ପରେ ବ୍ରାହ୍ମଣୀ ନଦୀର ଦକ୍ଷିଣଡିଆ ଗାଁ ମୁଣ୍ଡରୁ ଶେଷ ଯାଏଁ ୩କିମି ୩୫୦ମିଟର ରାସ୍ତା ନିର୍ମାଣ ହେବା କଥା ମାତ୍ର ଦକ୍ଷିଣଡିଆ ଗାଁରେ ପିଚୁ ବି ପଡିନାହିଁ । ଗୋଟିଏ ବ୍ଲକର ରାସ୍ତାକୁ ଅନ୍ୟ ଏକ ବ୍ଲକରେ ନିର୍ମାଣ ହୋଇଥିବା ଦର୍ଶାଇ କୋଟି କୋଟି ଟଙ୍କା ହଡପ କରିନିଆଯାଇଛି । ଏହି ରାସ୍ତା ନିର୍ମାଣ ହୋଇଥିଲେ ,୩ଟି ଗାଁର ପାଖାପାଖି ୫ହଜାର ଲୋକ ପାଣି କାଦୁଅରେ ଚାଲିନଥାନ୍ତେ ।

ଆଳି ବ୍ଲକର ରାସ୍ତାକୁ ରାଜନଗର ବ୍ଲକରେ ନିର୍ମାଣ କରାଯାଇଥିବା ଦର୍ଶାଯାଇ ଠିକାଦାର, ନିର୍ବାହୀଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । କେରେଡାଗଡ ଠାରୁ ଏକମାଣିଆ ଯାଏଁ ରାସ୍ତା ନିର୍ମାଣ ପାଇଁ ପାଖାପାଖି ୩କୋଟି ଟଙ୍କା ମଞ୍ଜୁର ହୋଇଥିଲା । ଏକମାଣିଆ ପଞ୍ଚାୟତର ଏକମାଣିଆ, ନଳପାହି ଓ ଦକ୍ଷିଣଡିଆ ଆଦି ୩ଟି ଗାଁକୁ ଚାରିପଟୁ ବ୍ରାହ୍ମଣୀ ଓ ହଂସୁଆ ନଦୀ ଘେରିରହିଛି । ଦକ୍ଷିଣଡିଆ ଗାଁରେ ଏବେ ବି ପକ୍କା ସଡକ ନଥିବାରୁ, ଲୋକେ ବିଲ ଓ ହିଡ ଦେଇ ଯାତାୟତ କରୁଛନ୍ତି । ରାସ୍ତା ନିର୍ମାଣ ପାଇଁ ମଞ୍ଜୁର ହୋଇଥିବା ଟଙ୍କାକୁ ବିଭାଗୀୟ ଅଧିକାରୀ ଓ ଠିକାଦାର ହଡପ କରିନେଇଥିବା ଯୋଗୁଁ ଲୋକଙ୍କୁ ଦୁର୍ଦ୍ଦଶା କମୁନି ।