କଳାହାଣ୍ଡି ଜୁନାଗଡ ନିୟନ୍ତ୍ରିତ ବଜାର କମିଟିର ମନମାନୀ । ସୁବିଧା ସୁଯୋଗ ନାଁରେ ଚାଷୀଙ୍କ ଠାରୁ ଆଦାୟ କରୁଛି କୋଟି କୋଟି ଟଙ୍କାର ଟିକସ । ହେଲେ ଚାଷୀଙ୍କ ପାଇଁ ନାହିଁ କୌଣସି ସୁବିଧା ।

71

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଜୁନାଗଡ ନିୟନ୍ତ୍ରିତ ବଜାର କମିଟିରେ ଥିବା ଅନେକ ମଣ୍ଡିରେ କିଛି ସୁବିଧା ନାହିଁ କିନ୍ତୁ ସୁବିଧା ସୁଯୋଗ ଯୋଗାଉଥିବା ନାଁରେ ନିୟନ୍ତ୍ରିତ ବଜାର କମିଟି ଚାଷୀଙ୍କ ଠାରୁ ଟିକସ କସି ନେଉଛି । ଖୋଲା ଆକାଶ ତଳେ ଚାଷୀଙ୍କ ଧାନ ପଡିଛି, ବର୍ଷା ହେଲେ ଧାନ ଭିଜି ଗଜା ହେଉଛି । ବହୁ ମଣ୍ଡିରେ ସେଡ, ପିଣ୍ଡି ନାହିଁ, କିଛି ଚାଷୀଙ୍କୁ ଚିରାଫଟା ପଲିଥିନ୍ ଯୋଗାଇ ଦାୟିତ୍ୱ ସାରି ଦେଉଛି ଜୁନାଗଡ ନିୟନ୍ତ୍ରିତ ବଜାର କମିଟି । ଆଉ ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ଅଧିନରେ ଗୋଳାମୁଣ୍ଡା, ଧର୍ମଗଡ ଓ ଜୁନାଗଡ ବ୍ଲକର ଚାଷୀମାନେ ନିର୍ଭର କରନ୍ତି । ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୪୦ଟି ସ୍ଥାନରେ ରବି ମଣ୍ଡି କରାଯାଇଥିଲା । ଏଥିରେ ଚାଷୀ ମୋଟ ୧୦ ଲକ୍ଷ ୬୭ ହଜାର ୫୩୧ କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି । ରବି ମଣ୍ଡିରୁ ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ୩ କୋଟି ୯୮ଲକ୍ଷ ୮୨ ହଜାର ଟଙ୍କାର ଟିକସ ପାଇଛି । ସେପଟେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଉଦବେଗ ପ୍ରକାଶ କରି କହିଛନ୍ତି ଚାଷୀଙ୍କୁ କିଛି ସୁବିଧା ନ ଯୋଗାଇ ଚାଷୀଙ୍କ ଟିକସରେ ନିୟନ୍ତ୍ରିତ ବଜାର କମିଟି ମାଲାମାଲ ହେଉଛି ।

ମଣ୍ଡିରେ ଆନୁସଙ୍ଗିକ ସୁବିଧା ପାଇଁ ନିୟନ୍ତ୍ରିତ ବଜାର କମିଟି ଧାନ କ୍ୱିଣ୍ଟାଲ ପିଛା ୩୭ ଟଙ୍କା ଟିକସ ନେଉଛି । ଟିକସ ଆଦାୟ କରି ଚାଷୀଙ୍କ ଆନୁସଙ୍ଗିକ ସୁବିଧାରୁ ବଞ୍ଚିତ କରିବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି ।