ଧାମନଗର ବିଜେଡିରେ ବିଦ୍ରୋହ, ପ୍ରାର୍ଥୀ ହୋଇପାରନ୍ତି ଅସନ୍ତୁଷ୍ଟ ରାଜୁ ଦାସ।

297

କନକ ବ୍ୟୁରୋ:ଧାମନଗର ବିଜେଡିରେ ଅସନ୍ତୋଷ! କାଲି ନାମାଙ୍କନ ଭରିବେ ରାଜୁ ଦାସ । ଦିନ ତମାମ ଛକାପଂଝା ଓ ଅଜ୍ଞାତବାସ ପରେ ସନ୍ଧ୍ୟାରେ ଘରକୁ ଫେରିଛନ୍ତି ଧାମନଗର ବିଜେଡି ନେତା ରାଜୁ ଦାସ । ଆଉ ଘରକୁ ଫେରିବା ପରେ ଗଣମାଧ୍ୟମ ସାମାନକୁ ଆସି, ଶୁକ୍ରବାର ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ବୋଲି କହିଛନ୍ତି ।

ଧାମନଗର ଉପନିର୍ବାଚନ ପାଇଁ ଅବନ୍ତି ଦାସଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଚିଠି । ଚର୍ଚ୍ଚା ହେଉଛି, ଅବନ୍ତିଙ୍କୁ ଟିକେଟ ମିଳିବା ପରେ ବିଜେଡି ଟିକେଟ ଆଶାୟୀ ପ୍ରାର୍ଥୀ ରାଜୁ ଦାସ ଧାମନଗରବାସୀଙ୍କ ଉଦ୍ଦେଶ୍ୟରେ ଏହି ଚିଠି ଲେଖିଛନ୍ତି । ଚିଠିରେ ଲେଖିଛନ୍ତି, କିନ୍ତୁ ଚିଠିକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର କୌଣସି ଉତର ଦେଇନାହାଁନ୍ତି ରାଜୁ ଦାସ ।

ରାଜୁ ଦାସଙ୍କୁ ଟିକେଟ ନମିଳିବା ପରେ ତାଙ୍କ ସମର୍ଥକମାନେ ସକାଳୁ ସକାଳୁ ଆରମ୍ଭ କରିଦେଇଥିଲେ ବିଦ୍ରୋହ । ଆଉ ମାଧ୍ୟମ ବନିଥିଲା ସୋସିଆଲ ମିଡିଆ । ରାଜୁଙ୍କ ସମର୍ଥନରେ ପୋଷ୍ଟ କରି ଦଳୀୟ ନିଷ୍ପତିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ରାଜେନ୍ଦ୍ର ଦାସ ଫ୍ୟାନ୍ କ୍ଲବ ପକ୍ଷରୁ ଏକ ପୋଷ୍ଟ କରି କୁହାଯାଇଛି ଯେ, ଆସନ୍ତାକାଲି ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ । ଏଥିପାଇଁ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ନିବେଦନ । କେବଳ ସୋସିଆଲ ମିଡିଆରେ ନୁହେଁ ରାଜୁ ଦାସଙ୍କ ସମର୍ଥକମାନେ ଗଣମାଧ୍ୟମ ସମ୍ମୁଖରେ ମଧ୍ୟ ସମାନ କଥା କହିଛନ୍ତି ।

ରାଜୁ ଦାସ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ଭିତରେ ତାଙ୍କ ସହ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଯୋଗାଯୋଗ ହୋଇପାରି ନଥିଲା । ଫୋନ ବି ଲାଗି ନଥିଲା । ଚର୍ଚ୍ଚା ହେଉଥିଲା ରାଜୁ ଦାସ ଅସନ୍ତୁଷ୍ଟ ଥିବାରୁ ସେ ଅଜ୍ଞାତବାସରେ ଚାଲିଯାଇଛନ୍ତି । ଆଉ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରୁଛନ୍ତି । କିନ୍ତୁ, ଦଳ ଭିତରେ କୌଣସି କନ୍ଦଳ ନଥିବା କହିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ।

ବୁଧବାର ଅବନ୍ତୀଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଅବନ୍ତି ଓ ରାଜୁ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ । ଆଉ ଅବନ୍ତି ତାଙ୍କର ସମ୍ପର୍କୀୟ ବୋଲି କହିଥିଲେ । ହେଲେ, ଭୁବନେଶ୍ୱରରୁ ଫେରିଯିବା ପରେ ବିଳମ୍ବିତ ରାତିରେ ଧାମନଗର ସ୍ଥିତ ବାସଭବନରେ ସମର୍ଥକଙ୍କ ସହ ବୈଠକ କରିଥିଲେ । ଆଉ ସମର୍ଥକଙ୍କ ସହ ଆଲୋଚନା ପରେ ସ୍ୱାଧୀନ ପ୍ରାର୍ଥୀ ହେବାକୁ ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି ।