ବର୍ଷା ହେଲେ ବିଗିଡି ଯାଏ ବିଦ୍ୟାଳୟର ଚିତ୍ର : ଭଙ୍ଗା ଆଜବେଷ୍ଟ ତଳେ ସ୍କୁଲରେ ଠିଆ ହୋଇ ପାଠ ପଢିଲେ ଛାତ୍ରଛାତ୍ରୀ

31

କନକ ବ୍ୟୁରୋ : ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଯୋଜନା ପରେ ଯୋଜନା କରିଛନ୍ତି ସରକାର । ସର୍ବଶିକ୍ଷା ଯୋଜନାରେ ବିଦ୍ୟାଳୟରେ ଆବଶ୍ୟକୀୟ ଶ୍ରେଣୀଗୃହ ଯୋଗାଇ ଦେଉଛନ୍ତି । କିନ୍ତୁ ଆଜି ବି ଏମିତି ସ୍କୁଲ ରହିଛି, ଯେଉଁଠି ବର୍ଷା ଦିନେ ଏକ ପ୍ରକାର ପାଠପଢା ଠପ୍ ହୋଇଯାଏ । ଆଉ ଯଦି ସ୍କୁଲ ଚାଲିଥିବା ବେଳେ ବର୍ଷା ହୁଏ ତେବେ କଥା ସରିଲା । ପିଲାଙ୍କୁ ଠିଆ କରି ପାଠପଢାନ୍ତି ଶିକ୍ଷକ । ଏମିତି ଏକ ସ୍କୁଲ ରହିଛି ଖୋଦ୍ ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ।

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଧିନରେ ରହିଛି ଭାଗିରଥି ନୋଡାଲ ବିଦ୍ୟାଳୟ । ଯେଉଁଠି ପ୍ରଥମରୁ ଅଷ୍ଟମ ଯାଏଁ ମୋଟ ୬୮ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି । ୮ଟି ଶ୍ରେଣୀ ପାଇଁ ୩ଟି ଶ୍ରେଣୀଗୃହ ଥିବା ବେଳେ ୨ଟି ଘରର ଆଜବେଷ୍ଟସ ଭାଙ୍ଗି ଯାଇଛି । କାନ୍ଥ ଗୁଡିକରୁ ପ୍ଲାଷ୍ଟାର ଖସିପଡିଥିବା ବେଳେ କାନ୍ଥ ଫାଟି ଆଁ କରିଛି । ଫଳରେ ବର୍ଷା ହେଲେ ଏଠାରେ ପିଲାଙ୍କୁ ଠିଆ କରି ପାଠ ପଢାଇଥାନ୍ତି ଶିକ୍ଷକ ।

ଭଙ୍ଗା ଆଜବେଷ୍ଟସ ଦେଇ ବର୍ଷା ପାଣି ଶ୍ରେଣୀ ଗୃହ ଭିତରେ ପଡୁଛି । ଫଳରେ ଛାତ୍ରଛାତ୍ରୀଙ୍କ ବସିବା ସ୍ଥାନଟିଏ ନାହିଁ । ୪ ବର୍ଷ ହେଲା ଶ୍ରେଣୀଗୃହ ପାଇଁ ଗ୍ରାମବାସୀମାନେ ଦାବି କରୁଥିବା ବେଳେ ଶିକ୍ଷା ବିଭାଗ ଏବର୍ଷ ହେବ ଆସନ୍ତାବର୍ଷ ହେବ କହି ସମୟ ଗଡାଇ ଚାଲିଛନ୍ତି । ୨୦୧୧ ମସିହାରୁ ସ୍କୁଲର କୋଠା ନିର୍ମାଣ ଚାଲିିଛି ଯେ, କେବେ ସରିବ ତାହା କାହାକୁ ଜଣାନାହିଁ । ତେବେ ଏ ଦିଗରେ ହାଟଡିହି ବିଇଓ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ସରକାର ଯୋଜନା ପରେ ଯୋଜନା କରି ଚାଲିଥିଲେ ବି ଏହି ସ୍କୁଲର ଦୁର୍ଦ୍ଦଶା କେବେ ଦୂର ହେବ ତାହାକୁ ହିଁ ଅପେକ୍ଷା ।