ରାକେଶ ଝୁନଝୁନୱାଲାଙ୍କ ଦେହାନ୍ତ । ୬୨ ବର୍ଷ ବୟସରେ ଆଖି ବୁଜିଲେ ସେୟାର ବଜାରର ବିଗବୁଲ୍ ।

535

କନକ ବ୍ୟୁରୋ : ସେୟାର ବଜାରର ବିଗବୁଲ କୁହାଯାଉଥିବା ରାକେଶ ଝୁନଝୁନୱାଲାଙ୍କ ୬୨ ବର୍ଷ ବୟସରେ ପରଲୋକ । ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଝୁନଝୁନୱାଲା । ଗତ କିଛି ଦିନ ପୂର୍ବରୁ ହିଁ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । କିନ୍ତୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ସେ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଆଜି ସକାଳ ୬ଟା ୪୫ ମିନିଟ୍ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଝୁନଝୁନୱାଲାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ମୋଦୀ ଶୋକ ପ୍ରକାଶ କରିଛନ୍ତି । ସେହିଭଳି ଦେଶରେ ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ମଧ୍ୟ ରାକେଶଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ।

ସେୟାର ମାର୍କେଟର ପୋଖତ ଖେଳାଳୀ କୁହାଯାଉଥିବା ରାକେଶ ଝୁନଝୁନୱାଲା ଗତ କିଛି ଦିନ ପୂର୍ବରୁ ହିଁ ଏୟାରଲାଇନ୍ସ ସେକ୍ଟରରେ ପାଦ ରଖିଥିଲେ । ନୂଆ ଏୟାରଲାଇନ୍ସ କମ୍ପାନି ଆକାଶା ଏୟାରରେ କୋଟି କୋଟି ଟଙ୍କା ନିବେଶ କରିଥିଲେ ରାକେଶ ଏବଂ ୭ ଅଗଷ୍ଟରୁ ହିଁ ଏହା ଚାଲୁ ହୋଇଥିଲା । ସେୟାର ବଜାରରେ ମାତ୍ର ୫ ହଜାର ଟଙ୍କା ନିବେଶ ଆରମ୍ଭ କରି ପରବର୍ତ୍ତୀ ସମୟରେ ସେୟାର ମାର୍କେଟରୁ କୋଟି କୋଟି ଟଙ୍କା ରୋଜଗାର କରିଥିଲେ । ଏହାପରେ ବିଭିନ୍ନ କ୍ଷେତ୍ରରେ ନିବେଶ କରିଥିଲେ ରାକେଶ । ସେୟାର ବଜାରରେ ମାତ୍ର ୫ ହଜାର ଟଙ୍କା ନିବେଶରୁ ଆରମ୍ଭ କରିଥିବା ରାକେଶଙ୍କର ଏବେ ୪୦ ହଜାର କୋଟି ଟଙ୍କାର ସମ୍ପତ୍ତି । ଏପରିକି ଯେତେବେଳେ କ୍ଷତି ଭୟରେ ସେୟାର ବଜାରରେ ଲୋକେ ଟଙ୍କା ନିବେଶ କରିବାକୁ ଡରିଥାନ୍ତି ସେତେବେଳେ ରାକେଶ ସେୟାର ବଜାରରୁ ହିଁ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି ।