ରେଳବାଇରେ ଚାକିରି କରାଇ ଦେବା ନାଁରେ ଠକେଇ ! ୩ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଏଟିଭିଏମ୍ ଅପରେଟର ଗିରଫ

40

କନକ ବ୍ୟୁରୋ : ରେଳବାଇରେ ଚାକିରି କରାଇ ଦେବା ନାଁରେ ୩ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଏଟିଭିଏମ ଅପରେଟର ଗିରଫ । ଅଟୋମେଟିକ ଟିକେଟ ଭେଣ୍ଡିଂ ମେସିନ୍ ଅପରେଟର ଉତ୍ପଳ ରଂଜନ ବେହେରାଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଛି ରେଳବାଇ ପୁଲିସ ।

ଭୁବନେଶ୍ୱର ରେଳ ଷ୍ଟେସନ ଜେନେରାଲ ବୁକିଂ ଅଫିସ୍ ନିକଟରେ ଥିବା ଏଟିଭିଏମରେ ଅପରେଟର ଭାବେ କାର୍ଯ୍ୟ କରେ ଉତ୍ପଳ ରଂଜନ ବେହେରା । କିଛି ମାସ ତଳେ ଏଠାକୁ ଆସିଥିବା ଅକ୍ଷୟ କୁମାର ରାଉତ, ସୁଦୀପ ମଲ୍ଲିକ ଓ ରମାକାନ୍ତ ସ୍ୱାଇଁ ନାମକ ତିନି ଜଣ ବ୍ୟକ୍ତିଙ୍କୁ ରେଳବାଇରେ ଚାକିରି କରାଇ ଦେବା ପ୍ରଲୋଭନ ଦେଖାଇ ଏମାନଙ୍କଠାରୁ ୩ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିଲା । ଏହାପରେ ଏମାନଙ୍କୁ ନକଲି ନିଯୁକ୍ତି ପତ୍ର ମଧ୍ୟ ଦେଇଥିଲା ।

ନିଯୁକ୍ତି ପତ୍ର ପାଇବା ପରେ ଯୁବକମାନେ ରେଳବାଇ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ । ତେବେ ଏପରି କୌଣସି ନିଯୁକ୍ତି ଦିଆଯାଇନଥିବା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା । ଏହାର ଯାଂଚ କରାଯିବାପରେ ନିଯୁକ୍ତି ପତ୍ର ନକଲି ବୋଲି ଜଣାପଡିଥିଲା । ଠକାମିର ଶିକାର ହୋଇଥିବା ଜାଣି ଯୁବକମାନେ ରେଳବାଇ ଥାନାରେ ଅଭିଯୋଗ କରିଥିଲେ । ଯୁବକମାନେ ସିସିଟିଭିରେ ରଂଜନକୁ ଚିହ୍ନଟ କରିବା ପରେ ତାକୁ ଗିରଫ କରାଯାଇଛି ।