ଶୀତଦିନେ ଟି-ସାର୍ଟ ପିନ୍ଧିବାର କାରଣ କହିଲେ ରାହୁଲ। ଦାରିଦ୍ର୍ୟ କଥା ଉଠାଇ ସମାଲୋଚକଙ୍କୁ ଦେଲେ ଜବାବ।

157

କନକ ବ୍ୟୁରୋ: ଯେତେବେଳେ ସାରା ଭାରତ ହାଡଭଙ୍ଗା ଶୀତରେ ଥରୁଛି ସେତେବେଳେ ରାହୁଲ ଗାନ୍ଧୀ ଟି-ସାର୍ଟ ପିନ୍ଧି ଭାରତ ଯୋଡ ଯାତ୍ରା କରୁଛନ୍ତି । ଯାହାକୁ ନେଇ ରାହୁଲଙ୍କ ସମାଲୋଚକ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି । ଏବେ ଏହାକୁ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖିଛନ୍ତି ରାହୁଲ ଗାନ୍ଧୀ । ଭାରତଯୋଡ଼ ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ କରିଥିଲେ ରାହୁଲ । ସେତେବେଳେ ପାଗ ଗରମ ଥିଲା । ଆଉ ମଧ୍ୟପ୍ରଦେଶରେ ଏହି ଯାତ୍ରା ପ୍ରବେଶ କରିବା ବେଳେ ଶୀତ ଆରମ୍ଭ ହୋଇଥିଲା । ଭାରତ ଯୋଡ ଯାତ୍ରା ବେଳେ ତିନିଜଣ ଛୋଟ ପିଲା ତାଙ୍କ ଫଟୋ ଉଠାଇବାକୁ ଆସିଥିଲେ ବୋଲି ରାହୁଲ କହିଛନ୍ତି । ଏହି ପିଲାମାନେ ଚିରା ଫଟା ପୋଷାକ ପିନ୍ଧିଥିଲେ । ଶୀତରେ କମ୍ପୁଥିଲେ ଏହି ଛୋଟପିଲା । ଏହାକୁ ଦେଖି ରାହୁଲଙ୍କ ମନ ପରିବର୍ତନ ହୋଇଥିଲା ବୋଲି କହିଛନ୍ତି ।

ରାହୁଲ ଗାନ୍ଧୀଙ୍କ ଭାରତଯୋଡ଼ ଯାତ୍ରା ଦୀର୍ଘ ୧୦୦ ଦିନରୁ ଅଧିକ ଦିନ ହେବ ଚାଲିଛି । ବହୁ ବାଦ ବିବାଦ ପରେ ମଧ୍ୟ ରାହୁଲ ଗାନ୍ଧୀ ଭାରତଯୋଡ଼ ଯାତ୍ରା ଜାରି ରଖିଛନ୍ତି । ତେବେ ହରିୟାଣାର ଅମ୍ବାଲା ଠାରେ ଭାରତଯୋଡ଼ ଯାତ୍ରା ସମୟରେ ଏକ ସଭାରେ ରାହୁଲଙ୍କ ଟି-ସାର୍ଟ ପିନ୍ଧିବା କାହାଣୀ କହିଛନ୍ତି । ଅନେକ ସମୟରେ ରାହୁଲଙ୍କ ଟି-ସାର୍ଟକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ବିଜେପି ସମେତ ଅନେକ ବ୍ୟକ୍ତିବିଶେଷ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଉ ଏହି ପ୍ରଶ୍ନର ଉତ୍ତର ରଖି ବିବାଦର ପୂର୍ଣ୍ଣଚ୍ଛେଦ ପକାଇବାକୁ ପ୍ରୟାସ କରିଛନ୍ତି ରାହୁଲ । ଯେବେ ସେ ଶୀତରେ ଥରିବେ ସେତେବେଳେ ସ୍ୱେଟର ପିନ୍ଧିବା କଥା ଚିନ୍ତା କରିବେ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ତିନି ଛୋଟ ପିଲା ସ୍ୱେଟର ନପିନ୍ଧିବା କଥା କହି ରାହୁଲ ଦାରିଦ୍ର୍ୟ କଥାକୁ ସାମ୍ନାକୁ ଆଣିଛନ୍ତି । ହାଡଭଙ୍ଗା ଶୀତ ବେଳେ ବେଳେ ଗରିବ ଲୋକ କିଭଳି ଶୀତବସ୍ତ୍ର ପାଇବେ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି ।