ସାରା ଓଡ଼ିଶାରେ ହକି ଫିଭର: ହକିର ଉତ୍ସାହରେ ଉତ୍ସାହିତ ଓଡ଼ିଶା

100

କନକ ବ୍ୟୁରୋ: ଓଡ଼ିଶାର କ୍ରୀଡ଼ା ଇତିହାସରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ଅଧ୍ୟାୟ ।ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ ସଜେଇ ହୋଇଛି ଐତିହାସିକ ବାରବାଟୀ ଷ୍ଟାଡିୟମ୍ । ମାତ୍ର କିଛି ଘଂଟାର ଅପେକ୍ଷା । ବାଜିବ ହକି ବିଶ୍ୱ କପର ବିଗୁଲ୍ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହାର ଶୁଭାରମ୍ଭ ଦେଖିବ ସାରା ବିଶ୍ୱ । ଏଥିରେ ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ ଷ୍ଟାର ଆଇକନ୍ । ଉଦଘାଟନୀ ଉତ୍ସବରେ ଧମାଲ କରିବେ ରଣବୀର ସିଂ ଓ ଦିଶା ପଟାନୀ । କିଛି ଦିନ ହେଲା କଳାକାର ମାନେ ନିଜର ଅଭ୍ୟାସ ଜାରି ରଖିଛନ୍ତି । ପ୍ରୀତମ୍୍ଙ୍କ ସଙ୍ଗୀତର ଯାଦୁରେ ଝୁମିବେ ଉପସ୍ଥିତ ଦର୍ଶକ । ଉଦଘାଟନୀ ଉତ୍ସବରେ ୩୦ ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।

ହକି ଉଦଘାଟନୀ ଉତ୍ସବ ପାଇଁ ବାରବାଟୀ ଷ୍ଟାଡିୟମ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଷ୍ଟାଡିୟମ ଓ ଆଖପାଖ ଅଂଚଳରେ ମୁତୟନ ହେବେ ପ୍ରାୟ ୫୦ ପ୍ଲାଟୁନ ପୁଲିସ ଫୋର୍ସ । ସୁରକ୍ଷା ଦାୟିତ୍ୱ ତଦାରଖ ପାଇଁ ୪୦ ଜଣ ଡିଏସ୍ପି ସ୍ତରୀୟ ଅଧିକାରୀ, ୫୫ଜଣ ଇନସପେକ୍ଟର ସ୍ତରୀୟ ଅଧିକାରୀ, ୩ଶହ ଜଣ ଏସଆଇଙ୍କ ସହିତ ୩ଶହରୁ ଅଧିକ କନେଷ୍ଟବଳ ନିୟୋଜିତ ହେବେ । ତା ସହିତ ୫ଶହରୁ ଅଧିକ ହୋମଗାର୍ଡଙ୍କୁ ବି ନିଯୁୁକ୍ତ ହେବେ । ଉଦଘାଟନୀ ଉତ୍ସବ ପାଇଁ ବାରବାଟୀ ଷ୍ଟାଡିୟମକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରଖାଯିବ । ଦ୍ୱିତୀୟ ସ୍ତରରେ ସୁରକ୍ଷା ବଳୟ ବିଭିନ୍ନ ଗେଟର ଭିତରପଟ ଓ ଗ୍ୟାଲେରୀ ରହିବ । ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଉଦଘାଟନୀ ଉତ୍ସବର ଏହି ପ୍ରସ୍ତୁତି ଭିତରେ ହକି ବିଶ୍ୱକପ ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଏବଂ ରାଉକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ ବିଶ୍ୱକପ୍ ମ୍ୟାଚ୍ ପାଇଁ ପ୍ରସ୍ତୁତ ରହିଛି । ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ୱକପ । ପ୍ରଥମ ଦିନରେ ଗ୍ରୁପ ଷ୍ଟେଜର ୪ଟି ମ୍ୟାଚ୍ ଖେଳାଯିବ । ଭୁବନେଶ୍ୱର ଏବଂ ରାଉରକେଲାରେ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳାଯିବ ।