ସଂସଦରେ ‘ରାହୁଲ’ ଝଡ଼। ଗୃହରେ ବିଜେପିର ହଙ୍ଗାମା, ରାହୁଲଙ୍କ କ୍ଷମା ଦାବି କଲା ଦଳ

107

କନକ ବ୍ୟୁରୋ: ବ୍ରିଟେନରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ସଂସଦରେ ହଙ୍ଗାମା । ବିଦେଶ ମାଟିରେ ଭାରତର ଛବି ଖରାପ କରିବାକୁ ବିରୋଧ ଦଳର ନେତା ଏଭଳି ବୟାନ ଦେଇଥିବା ବିଜେପି ଅଭିଯୋଗ ଆଣିଛି । ଭାରତରେ ବାକ୍ ସ୍ୱାଧୀନତାର ଅଧିକାର ସମସ୍ତଙ୍କ ପାଖରେ ରହିଛି । ବିଦେଶରେ ଭାରତ ଉପରେ ଏଭଳି ଟିପ୍ପଣୀ କରିବାର କଂଗ୍ରେସ ସାଂସଦଙ୍କର କୌଣସି ଅଧିକାର ନାହିଁ ବୋଲି ରାଜ୍ୟସଭା ସାଂସଦ ପୀୟୁଷ ଗୋୟଲ କହିଛନ୍ତି । ଏହାସହ ରାଜ୍ୟସଭାରେ ପୀୟୁଷ ଗୋୟଲ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଉ ବୋଲି ଦାବି କରିଛନ୍ତି । ଆଉ ରାହୁଲ ଗାନ୍ଧୀ ଦେଶବାସୀ ଓ ଭାରତୀୟ ସେନାଙ୍କୁ କ୍ଷମା ମାଗନ୍ତୁ ବୋଲି ପୀୟୁଷ ଗୋୟଲ ରାଜ୍ୟସଭାରେ ଦାବି କରିଛନ୍ତି । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ବ୍ରିଟେନରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ବିରୋଧ କରିଛନ୍ତି ।

ଅନ୍ୟପଟେ ଏହାର ଜବାବ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । କହିଛନ୍ତି ରାହୁଲ ଗାନ୍ଧୀଙ୍କ ବୟାନର ଭିନ୍ନ ଅର୍ଥ ବାହାର କରାଯାଉଛି । ଏହାକୁ କଂଗ୍ରେସ ନିନ୍ଦା କରୁଛି ବୋଲି କହିଛନ୍ତି ଖଡଗେ । ଏହାସହ ଖଡଗେ ପାଲଟା ବିଜେପି ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ଯେଉଁମାନେ ଗଣତନ୍ତ୍ରକୁ ହତ୍ୟା ଓ ବର୍ବାଦ କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ସଂସଦରେ ଗଣତନ୍ତ୍ର ବଞ୍ଚାଇବା କଥା କହୁଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ।

ନିକଟରେ ବ୍ରିଟେନ୍ ଗସ୍ତରେ ଥିବା ରାହୁଲ ଗାନ୍ଧୀ ଭାରତର ଗଣତନ୍ତ୍ର, ବିଜେପି ଓ ଆରଏସଏସ ବିରୋଧରେ ବୟାନ ଦେଇଥିଲେ । ଯାହାକୁ ନେଇ ବିଜେପି ରାହୁଲଙ୍କ ଉପରେ ବର୍ଷିଥିଲା । ଏବେ ସଂସଦରେ ରାହୁଲଙ୍କ ବୟାନ ଚର୍ଚ୍ଚା ସାଉଣ୍ଟିଥିବା ବେଳେ ହଙ୍ଗାମା ପରେ ସଂସଦର ଉଭୟ ଗୃହକୁ ସ୍ଥଗିତ ରଖାଯାଇଛି ।