ଛାତ୍ରକୁ ମରଣମୁହଁକୁ ଠେଲିଦେଲେ ଶିକ୍ଷକ! ଗରମ ଡାଲି ପଡି ଚାଲିଗଲା ଜୀବନ

1,171

କନକ ବ୍ୟୁରୋ: ପିଲାମାନେ ସ୍କୁଲ ଯାଆନ୍ତି ପାଠପଢିବାକୁ । କିନ୍ତୁ ସେମାନଙ୍କ ସରଳତାର ସୁଯୋଗ ନେଇ ଶିକ୍ଷକମାନେ ତାଙ୍କୁ କାମ ଲଗାଉଥିବା ଅଭିଯୋଗ ହୋଇଆସୁଛି । ସୁନ୍ଦରଗଡ କୋଇଡାରୁ ଏଭଳି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଗରମ ଡାଲି ପଡି ଜଣେ ଛାତ୍ରଙ୍କ ଜୀବନ ଯାଇଛି । ଏଭଳି ଘଟଣା ଘଟିଛି କୋଇଡା ବ୍ଲକ ଅନ୍ତର୍ଗତ ଡେଙ୍ଗୁଳା ସେବାଶ୍ରମରେ । ମୃତ ଛାତ୍ରଙ୍କ ନାଁ ହେଉଛି ଗେଲେଟ ହାନନଗା । ସେ ହଷ୍ଟେଲରେ ରହି ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ଗତ ୬ ତାରିଖରେ ରୋଷେୟା ସହ ମିଶି ଗରମ ଡାଲି ହଣ୍ଡାକୁ ଚୁଲିରୁ ଓହ୍ଲାଉଥିବାବେଳେ ତାହା ତାଙ୍କ ଶରୀରରେ ଢାଳିହୋଇଯାଇଥିଲା । ଆଉ ଗରମ ଡାଲିରେ ଅଂଟ ତଳୁ ଗୋଡ ଯାଏଁ ପୋଡି ଯାଇଥିଲା । ରାଉରକେଲା ଆଇଜିଏଚରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସନ୍ଧ୍ୟାରେ ଗେଲେଟଙ୍କ ମୃତ୍ୟୁ ହୋଇଛି ।

ଛାତ୍ର ମୃତ୍ୟୁ ପାଇଁ ଦାୟୀ କିଏ ?
ରୋଷେଇ ଘରକୁ ଛାତ୍ରଙ୍କୁ କିଏ ପଠାଇଥିଲା?

ଗେଲେଟ ହାନନଗାଙ୍କ ପ୍ରକୃତ ଘର ହେଉଛି ଝାଡଖଣ୍ଡ ମନୋହରପୁରରେ । ତାଙ୍କୁ ତାଙ୍କ ପରିବାର ଲୋକେ କୋଇଡା ଆସି ଶ୍ରମିକଭାବେ କାମ କରୁଥିଲେ । ଗେଲେଟ ଘରର ଏକମାତ୍ର ପୁଅ ଥିଲେ । ତେଣୁ ମୃତ୍ୟୁ ଖବର ପାଇବା ପରେ ପରିବାରର ପାଦତଳୁ ମାଟି ଖସିଯାଇଛି । ଏମିତି ଘଟଣା ଘଟିବା ପରେ ବି ସ୍କୁଲରେ ପିଲାଙ୍କୁ ପାଠ ପଢାଯିବା ବଦଳରେ ଝାଡୁ ସହ ଅନ୍ୟାନ୍ୟ କାମ କରିବାକୁ ବାଧ୍ୟ କରାଯାଉଛି । ଆଉ ଏ ବାବଦରେ ସଂପୃକ୍ତ ଅଧିକାରୀ ବି ଅଜବ ଉତର ଦେଉଛନ୍ତି ।

ଡେଙ୍ଗୁଳା ସେବାଶ୍ରମ ହଷ୍ଟେଲରେ ୨ ଶହ ଛାତ୍ର ରହନ୍ତି । ସେମାନଙ୍କ ପାଇଁ ପ୍ରତିଦିନ ରୋଷେଇ ହୁଏ । ପ୍ରଶ୍ନ ଉଠୁଛି
-ଘଟଣା ଦିନ ହଷ୍ଟେଲରେ କଣ ଜଣେ ରୋଷେୟା ଥିଲେ?
-ରୋଷେୟାଙ୍କୁ ଯଦି କେହି ସହାୟତା କରିବାକୁ ନଥିଲେ, ବିକଳ୍ପ ବ୍ୟବସ୍ଥା ହେଲାନି କାହିଁକି?
-ସମସ୍ୟା ସମ୍ପର୍କରେ ରୋଷେୟା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇନଥିଲେ କାହିଁକି?
-ସଂପୃକ୍ତ ରୋଷେୟା ଡାଲି ଭଳି ଗରମ ଜିନିଷ ଓହ୍ଲାଇବାରୁ ଛୋଟ ପିଲାର ସାହାରା ନେଲେ କିଭଳି?
-ମୃତ ଛାତ୍ର ନିଜେ ଯାଇଥିଲେ ନା ତାଙ୍କୁ କେହି ପଠାଇଥିଲେ?
-ଛୋଟ ପିଲାଙ୍କୁ କାହିଁକି ସ୍କୁଲ କାମରେ ନିୟୋଜିତ କରାଯାଉଛି?