‘ଦେଶକୁ ବଦନାମ କରିବ ତ ଆମେ ଚୁପ୍ ରହିବୁନି’: ଏଭଳି କାହିଁକି କହିଲେ କେନ୍ଦ୍ର ଆଇନ ମନ୍ତ୍ରୀ?

125

କନକ ବ୍ୟରୋ: ରାହୁଲ ଗାନ୍ଧୀ ଲଣ୍ଡନ ମାଟିରେ ଦେଶ ବିରୋଧରେ ଯାହା କହିଛନ୍ତି ସେଥିପାଇଁ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ଦରକାର । ବିଦେଶ ମାଟିରେ ଗଣତନ୍ତ୍ର, ଦେଶର ନ୍ୟାୟ ବ୍ୟବସ୍ଥାକୁ ଅସମ୍ମାନୀତ କରିବା ସହ ଦେଶର ଅସମ୍ମାନ କରିଛନ୍ତି ।ତେଣୁ ଦେଶର ଅପମାନ କରୁଥିବା ଏଭଳି ବ୍ୟକ୍ତିଙ୍କ ବିରୋଧରେ ଆମେ ଚୁପ୍ ରହିବୁନି ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ କିରଣ ରିଜିଜୁ ।

ଗୁରୁବାର ବିଧାନସଭା ପରିସରରେ ଗଣମାଧ୍ୟମ ଆଗରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ କିରଣ ରିଜିଜୁ । କହିରଖୁଁ , ଲଣ୍ଡନରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ବିଜେପି କ୍ଷମା ମାଗିବାକୁ ଦାବି କରିଛି । ଏହି ପ୍ରସଙ୍ଗକୁ ନେଇ ସଂସଦରେ ମଧ୍ୟ ହଙ୍ଗାମା ଦେଖାଦେଇଛି ।

କ’ଣ କହିଥିଲେ ରାହୁଲ?

ନିକଟରେ ଲଣ୍ଡନ ଗସ୍ତରେ ଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ଅବସରରେ ଲଣ୍ଡନ ହାଉସ୍ ଅଫ୍ ପାର୍ଲିଆମେଣ୍ଟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରିଟିଶ୍ ସାଂସଦଙ୍କୁ ସମ୍ବୋଧନ କରି ରାହୁଲ କହିଥିଲେ ଯେ, ଭାରତରେ ଗଣମାଧ୍ୟମ ବିପଦରେ ରହିଛି । ଲୋକସଭାରେ ବିରୋଧୀ ନେତାଙ୍କୁ କହିବାର ସୁଯୋଗ ଦିଆଯାଉନାହିଁ । କୌଣସି ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ବିରୋଧୀଙ୍କୁ ଅନୁମତି ମିଳୁନି । କେବଳ ଏତିକି ନୁହେଁ ଆରଏସଏସ୍ ଉପରେ ମଧ୍ୟ ଅଭିଯୋଗ ଆଣିଥିଲେ । ଆରଏସଏସ୍ ଦେଶର ସବୁ ସଂସ୍ଥା ଉପରେ ନିଜର ଆଧିପତ୍ୟ ବିସ୍ତାର କରୁଛି । ଭାରତରେ ଗଣମାଧ୍ୟମ, ସଂସଦ, ନ୍ୟାୟପାଳିକା, ନିର୍ବାଚନ ଆୟୋଗ ସମସ୍ତେ ବିପଦରେ ବୋଲି କହିଥିଲେ ରାହୁଲ । ଏହାସହ ତାଙ୍କ ଉପରେ ସରକାର ଗୁଇନ୍ଦାଗିରି କରୁଛନ୍ତି ବୋଲି ମଧ୍ୟ କହିଥିଲେ ରାହୁଲ ।