କୁଆଡେ ଗଲେ ଆଇପିଏସ ଏନ.ବି. ଭାରତୀ? ବାରମ୍ବାର ଚିଠି ପଠାଇବା ପରେ ବି ମିଳୁନି ଉତ୍ତର, ଖବରକାଗଜରେ ନୋଟିସ ବାହାର କଲା ପୋଲିସ ବିଭାଗ ।

164

କନକ ବ୍ୟୁରୋ : ମହିଳା ଆଇପିଏସ ଅଫିସର ଏନ.ବି ଭାରତୀଙ୍କୁ ଉତ୍ତର ରଖିବାକୁ ହେବାକୁ ପୋଲିସ ବିଭାଗ ପକ୍ଷରୁ ଖବରକାଗଜରେ ନୋଟିସ ଜାରି କରାଯାଇଛି । ଦୀର୍ଘ ବର୍ଷ ହେବ ପୋଲିସ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିର ଜବାବ ରଖିନଥିଲେ ଏନ.ବି ଭାରତୀ । ୨୦୧୭ରେ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏନେଇ ଚିଠି ମାଧ୍ୟମରେ ତାଙ୍କୁ ଅବଗତ କରିବା ସହ ଲିଖିତ ଆକାରରେ ପକ୍ଷ ରଖିବାକୁ ବିଭାଗ ପକ୍ଷରୁ ସୁଯୋଗ ଦିଆଯାଇଥିଲା । କିନ୍ତୁ ପୋଲିସ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିର କୌଣସି ଉତ୍ତର ରଖିନଥିଲେ ଭାରତୀ । ବିଭିନ୍ନ ଠିକଣାରେ ଚିଠି ପଠାଯାଇଥିଲେ ମଧ୍ୟ ଭାରତୀଙ୍କ ଅନୁପସ୍ଥିତ ଯୋଗୁଁ ଏହା ହସ୍ତାନ୍ତର କରାଯାଇପାରିନଥିଲା ।

ବିଭାଗ ପକ୍ଷରୁ ତାଙ୍କ କାର୍ଯ୍ୟାଳୟରେ ପୂର୍ବରୁ ଲଟକା ଲାଗିଥିଲା । ବାରମ୍ବାର ଚିଠି ପଠାଯିବା ପରେ ମଧ୍ୟ ଭାରତୀଙ୍କ ପକ୍ଷରୁ ଏହାକୁ ଗ୍ରହଣ କରାଯାଇନଥିଲା କି ଏହାର ଉତ୍ତର ମିଳିନଥିଲା । ଯାହାଫଳରେ ତଦନ୍ତ ପ୍ରକ୍ରିୟା ଏକ ତରଫା ଭାବେ ପରିଚାଳନା ହୋଇଥିଲା । ଫଳରେ ଖବରକାଗଜରେ ନୋଟିସ ଦେବାକୁ ବାଧ୍ୟ ହୋଇଛି ପୋଲିସ ବିଭାଗ । ଏପରିକି ଖବରକାଗଜରେ ନୋଟିସ ପ୍ରକାଶର ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ବିରୋଧରେ ଲିଖିିତ ଭାବେ ଆବେଦନ କରିବାକୁ ମଧ୍ୟ କୁହାଯାଇଛି । ଯଦି ଏହି ସମୟ ଭିତରେ କୌଣସି ଆବେଦନ କି ମତାମତ ନ ମିଳେ ତେବେ ତଦନ୍ତ ରିପୋର୍ଟକୁ ଚୂଡାନ୍ତ ବୋଲି ଧରିନିଆଯିବ ଏବଂ ସେହି ଅନୁସାରେ ଶୃଙ୍ଖଳାଗତ କାର୍ଯ୍ୟବିଧି ଏକତରଫା ଭାବେ ସମାପ୍ତ କରାଯିବ ବୋଲି ଏହି ନୋଟିସରେ କୁହାଯାଇଛି ।

ହ୍ୟୁମାନ୍ ରାଇଟ୍ସ ପ୍ରୋଟେକ୍ସନ ସେଲର ଆଇଜି ଭାବେ ନିଯୁକ୍ତି ମିଳିଥିଲେ ମଧ୍ୟ ଦୀର୍ଘବର୍ଷ ହେବ ଗୃହ ବିଭାଗର ବିନା ଅନୁମତିରେ ବେନିୟମ ଭାବେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି ଏନ.ବି ଭାରତୀ ।