ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ୟୁନିଫର୍ମ ବର୍ଜନ : ବିନା ୟୁନିଫର୍ମରେ ପଢାଇଲେ ପାଠ; ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱରୁ ଦେବେ ଇସ୍ତଫା

202

କନକ ବ୍ୟୁରୋ : ୟୁନିଫର୍ମ ବର୍ଜନ କରିଲେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ । ବିନା ୟୁନିଫର୍ମରେ ସ୍କୁଲରେ ଯୋଗଦେଇଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଶିକ୍ଷୟିତ୍ରୀ ବିନା ୟୁନିଫର୍ମରେ ଶିକ୍ଷାଦାନ କରୁଥିବାର ଚିତ୍ର ଆସିଛି । ପ୍ରାଥମିକ ଶିକ୍ଷକ ଷ୍ଟିଅରିଂ କମିଟି ବୈଠକରେ ଏପରି ନିଷ୍ପତି ନିଆଯାଇଥିଲା ।

ରାଜ୍ୟ ସରକାରଙ୍କ କୌଣସି କାର୍ଯ୍ୟକ୍ରମ କିମ୍ବା ଯୋଜନା ସ୍କୁଲରେ କାର୍ଯ୍ୟକାରୀ କରିବାରେ ସହଯୋଗ କରିବେ ନାହିଁ ବୈଠକରେ କୁହାଯାଇଥିଲା । ସେହିପରି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ସେମାନଙ୍କ ପଦ ଛାଡିବେ । ମଧ୍ୟାହ୍ନ ଭୋଜନ ପରିଚାଳନା ଦାୟିତ୍ୱରୁ ଦୂରେଇ ରଖିବେ । ଯେଉଁମାନେ ସିଆରସିସି ପଦରେ ରହିଛନ୍ତି ସେମାନେ ଇସ୍ତଫା ଦେବେ । ୩ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ରାଜ୍ୟ ସରକାରଙ୍କୁ ସମସ୍ତ କ୍ଷେତ୍ରରେ ଅସହଯୋଗ କରିବେ ବୋଲି ନିଷ୍ପତ୍ତି କରାଯାଇଥିଲା । ନିକଟରେ ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ଡାକରା ଦେଇଥିଲା ପ୍ରାଥମିକ ଶିକ୍ଷକ ମହାସଂଘ ।

ଦେଢ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଛୁଟି ନେଇ ଆସୁଥିବାରୁ ସେମାନଙ୍କୁ ରୋକିବା ଲାଗି ପ୍ରସ୍ତୁତି କରାଯାଇଥିଲା । ଛୁଟି ନଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଲୋୟର ପିଏମଜିରେ  ଆନ୍ଦୋଳନ ପାଇଁ ଅନୁମତି ନମିଳିବା ପରେ ପ୍ରଦର୍ଶନୀ ପଡିଆରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏକାଠି ହୋଇଥିଲେ । ସେଠାରେ ବୈଠକ କରି ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରାଯାଇଥିଲା ।