ଏମସ୍ ଡାକ୍ତରଙ୍କର ଅଦ୍ଭୁତ ସଫଳତା । ପ୍ରସ୍ତୁତ ହେଲା ଏଭଳି ଡିଭାଇସ୍, ମସ୍ତିଷ୍କ ଭିତରେ ରହିବ କ୍ୟୁଆର କୋଡ

259

କନକ ବ୍ୟୁରୋ : ଦିନକୁ ଦିନ ବିଜ୍ଞାନ ସବୁ କ୍ଷେତ୍ରରେ ଅଗ୍ରଗତି କରୁଛି । ବିଜ୍ଞାନ ଓ ପ୍ରଯ୍ୟୁକ୍ତି ବିଦ୍ୟା ସାହାଯ୍ୟରେ ମହାକାଶ ଠାରୁ ଆରମ୍ଭ କରି ଅତଳ ସମୁଦ୍ର ଯାଏଁ ସବୁଠି ପହଂଚି ପାରୁଛି ମନୁଷ୍ୟ । ଯନ୍ତ୍ରାଂଶ ତଥା ବାହ୍ୟ ଜଗତ ଉପରେ ନିୟନ୍ତ୍ରଣ ଆଣି ପାରୁଥିବା ମଣିଷ ଜାତି ବର୍ତମାନ ମନୁଷ୍ୟ ମସ୍ତିଷ୍କକୁ ଭିତରୁ ନିୟନ୍ତ୍ରଣ କରିବାର ଚେଷ୍ଟା କରୁଛି । କେବଳ ଏତିକି ନୁହେଁ ଏଭଳି ଅଦ୍ଭୁତ ଚେଷ୍ଟାରେ ସଫଳତା ମଧ୍ୟ ପାଇଛନ୍ତି ଏମସର ଡାକ୍ତରୀ ଦଳ ।

ଆମେ ସାଧାରଣତଃ ରାସ୍ତା ଜାଣିବା ପାଇଁ ଗୁଗଲ୍ ମ୍ୟାପ ବ୍ୟବହାର କରିଥାଉ । ହେଲେ ଏବେ ଦିଲ୍ଲୀ ଏମସ ନ୍ୟୁରୋ ସର୍ଜନ୍ ବିଭାଗୀୟ ଡାକ୍ତରୀ ଦଳ ଏପରି ଏକ ଯନ୍ତ୍ରାଂଶ ନିର୍ମାଣ କରିଛନ୍ତି ଯାହା ଦ୍ୱାରା ଏହି ଗୁଗଲ ମ୍ୟାପ ମସ୍ତିଷ୍କ ଭିତରେ ତିଆରି ହୋଇ ପାରିବ ଓ ଆମକୁ ଆପେ ରାସ୍ତା ଜଣା ପଡିଯିବ ।

ଏହି ନୁଆ ଯନ୍ତ୍ରାଂଶଟି କେବଳ ବ୍ରେନରେ ଗୁଗଲ ମ୍ୟାପ ନୁହେଁ ବିଭିନ୍ନ ଜଟିଳ ବେମାରୀ ବିଷୟରେ ସୂଚନା ଦେବା, ଅନିୟମିତତା ଯାଂଚ କରିବା ସହ ନୁଆ ସର୍ଜନ ମାନଙ୍କୁ ସହଜରେ ବ୍ରେନ୍ ସର୍ଜରୀ ଶିଖାଇ ପାରୁଛି ।

ଡାକ୍ତର ବିବେକ ଟଣ୍ଡନ ନୂଆ ପ୍ରକ୍ରିୟା ବିିଷୟରେ ସୂଚନା ଦେଇଛନ୍ତି । ଏକ ସଫ୍ଟୱେର ମାଧ୍ୟମରେ ମସ୍ତିଷ୍କ ଖପୁରୀ ଭିତରେ ଡ୍ରିଲ୍ କରି ଚିପକୁ ଭର୍ତୀ କରାଯାଇଥାଏ ଓ ଯାହା ସହ ଏକ କ୍ୟୁଆର କୋଡ୍ ଜଡିତ ହୋଇ ରହିଥାଏ । ଏହି କ୍ୟୁଆର କୋଡକୁ ସ୍କାନ୍ କଲେ ମସ୍ତିଷ୍କ ଭିତରର ସମସ୍ତ ଛବି ସହଜରେ ଦେଖି ହେବ । ଏହା ସିଟି ସ୍କାନ ଭଳି କାମ କରିଥାଏ ଏବଂ ମସ୍ତିଷ୍କର ଏକ ସମ୍ପୁର୍ଣ୍ଣ ହୋଲୋଗ୍ରାଫିକ୍ ଛବି ସୃଷ୍ଟି କରିଥାଏ ।

ବର୍ତମାନ ଏହି ନୁଆ ପଦ୍ଧତିକୁ କାର୍ଯ୍ୟକାରୀ କରିବା ପାଇଁ ଏମସ୍ ଡାକ୍ତରୀ ଦଳ ମାଇକ୍ରୋସଫ୍ଟ କମ୍ପାନୀ ସହ ଅନୁବନ୍ଧିତ ହୋଇଛନ୍ତି । ଏପରି ଏକ ନୂତନ ପଦ୍ଧତି ଶିଖିବା ପାଇଁ ବିଦେଶୀ ଦାକ୍ତର ମାନେ ଆଗ୍ରହ ପ୍ରକାଶ କରୁଥିବା ବେଳେ ଏବେ ଇଟାଲୀ, ବାଙ୍ଗଲାଦେଶ, ମାଳଦ୍ୱୀପ, ଶ୍ରୀଲଙ୍କା ଆଦି ଦେଶରୁ ଡାକ୍ତର ମାନେ ଆସି ଏମସ୍ ପହଂଚିଛନ୍ତି ।