ମମିତା ହତ୍ୟାକାଣ୍ଡକୁ ନେଇ ଉଠୁଛୁ ପଡୁଛି ସାରା ରାଜ୍ୟ । ପୁରୀରୁ ପଶ୍ଚିମ ଓଡିଶା ସବୁଠି ପ୍ରତିବାଦ ।

100

କନକ ବ୍ୟୁରୋ: ମମିତାଙ୍କ ପରିବାରକୁ ନ୍ୟାୟ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବରଖାସ୍ତ ଦାବି ଜୋର ଧରିଛି । କଳାହାଣ୍ଡିରୁ ଭୁବନେଶ୍ୱର ଓ ବଲାଙ୍ଗିରରୁ ପୁରୀ ଯାଏଁ ବିକ୍ଷୋଭ ହୋଇଛି ଆଉ ରାସ୍ତାରେ ଦେଖିବାକୁ ମିଳିଛି ଲୋକଙ୍କ ଆକ୍ରୋଶ । ବିଜେପି ଦିନିକିଆ କଳାହାଣ୍ଡି ବନ୍ଦ ପାଳନ କରିଛି । ସେପଟେ ଭବାନୀପାଟଣାସ୍ଥିତ ମନ୍ତ୍ରୀଙ୍କ ଘର ଉପରେ ଅଣ୍ଡା ମାଡ କରିଛି ବିଜେପି ମହିଳା ମୋର୍ଚ୍ଚା ।

ଅନ୍ୟପଟେ ମମିତାଙ୍କୁ ନ୍ୟାୟ ଦାବିରେ ନବୀନ ନିବାସ ଆଗରେ ବିରୋଧ ପ୍ରଦର୍ଶନ କରିବା ସହ କଳା ପତାକା ଦେଖାଇଛି ଯୁବ କଂଗ୍ରେସ । ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର ଦାବି କରିଛନ୍ତି ଯୁବ କଂଗ୍ରେସ ସଦସ୍ୟ । ସେହିପରି ଉତ୍କଳ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେପଟେ ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଏସଆଇଟି ତଦନ୍ତ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।

ମମିତାଙ୍କ ହତ୍ୟା ମାମଲାକୁ ନେଇ ରାଜନୈତିକ ହଟଚମଟ ଜାରି ରହିଛି । ରାଜ୍ୟପାଳଙ୍କୁ ଅଲଗା ଅଲଗା ଭେଟିଛନ୍ତି ବିଜେପି ଓ କଂଗ୍ରେସର ପ୍ରତିନିଧି ଦଳ । ସରକାର ଅପରାଧୀଙ୍କୁ ଲୁଚାଉଛନ୍ତି । ଘଟଣା ପଛରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସାମିଲ ଥିବା ଦର୍ଶାଇ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ପାଇଁ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ । ଏଥିପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଅନ୍ୟପଟେ ମମିତା ମେହେରଙ୍କ ହତ୍ୟା ମାମଲାରେ ୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ କଳାହାଣ୍ଡି ଏସପିଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ମହିଳା କମିସନ ।