ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜୋର ଧରିଲା ଦଳଡିଆଁ ରାଜନୀତି । ପୁରୁଣା ଦଳ ଛାଡି ନୂଆ ଦଳରେ ସାମିଲ ହେଉଛନ୍ତି ନେତା ଓ କର୍ମୀ ।

198

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣି ଜୋର ଧରିଛି ଦଳ ଡିଆଁ ପର୍ବ । ଗତ କିଛି ଦିନ ତଳେ କଂଗ୍ରେସ ନେତା ଚନ୍ଦ୍ରଶେଖର ମାଝୀ ବିଜେଡିରେ ସାମିଲ ହୋଇଥିବାବେଳେ ଆଜି ପୁଣି ପୂର୍ବତନ କଂଗ୍ରେସ ବିଧାୟକ କୈଳାସ କୁଲେଶିକା ଶଙ୍ଖ ଧରିଛନ୍ତି । କଂଗ୍ରେସର ବରିଷ୍ଠ ନେତା ଭୂଜବଳ ମାଝୀ ମଧ୍ୟ କିଛି ଦିନ ଭିତରେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଅନ୍ୟପଟେ ବିଜେପି ନେତା ବିଶ୍ୱ ରଞ୍ଜନ ମଲ୍ଲିକ ବିଜେପିରୁ ଇସ୍ତଫା ଦେଇଛନ୍ତି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ବିଜେଡି । ଆଉ ପୁରୁଣା ଦଳ ଛାଡି ନୂଆ ଦଳରେ ସାମିଲ ହେଉଛନ୍ତି ନେତା ଓ କର୍ମୀ । ଏହି କ୍ରମରେ କୋରାପୁଟର ପୂର୍ବତନ ବିଧାୟକ କୈଳାସ କୁଲେସିକା କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କ ସମର୍ଥକଙ୍କ ସହ ଆସି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି । କୈଳାସଙ୍କୁ ଦଳ ପକ୍ଷରୁ ସ୍ୱାଗତ କରାଯାଇଛି ।

ଗତ କିଛି ଦିନ ତଳେ ଚନ୍ଦ୍ର ଶେଖର ମାଝୀ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଏବେ କୈଳାସ କୁଲେଶିକା ଦଳ ଛାଡିବା ପରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ଦୁର୍ବଳ ହେଉଥିବା ଚର୍ଚ୍ଚା ହେଉଛି । ତେବେ କୋରାପୁଟ ଜିଲ୍ଲା କିମ୍ବା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି ।

କେବଳ କଂଗ୍ରେସରେ ନୁହେଁ ବିଜେପିରେ ମଧ୍ୟ ଆରମ୍ଭ ହୋଇଛି ଦଳ ଡିଆଁ । ବିଜେପି ନେତା ବିଶ୍ୱ ରଞ୍ଜନ ମଲ୍ଲିକ ଓ ତାଙ୍କର ସମର୍ଥକମାନେ ଦଳ ଛାଡିବା ପାଇଁ ରାଜ୍ୟ ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ତେବେ ଆଗାମି ଦିନରେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ ହୋଇ ନାହିଁ । କଂଗ୍ରେସର ପୂର୍ବତନ ବିଧାୟକ ଭୂଜବଳ ମାଝୀ ମଧ୍ୟ ଏହା ଭିତରେ ଦଳ ଛାଡି ବିଜେଡିରେ ସାମିଲ ହେଉଥିବା ଚର୍ଚ୍ଚା ହେଉଛି ।