ସାରୁଅ ଜମି କେଳେଙ୍କାରୀର ପର୍ଦ୍ଦାଫାସ କଲା କ୍ରାଇମବ୍ରାଞ୍ଚ । ଚଞ୍ଚକତା କରି ଲୋକଙ୍କ ଜମି ହୋଇଛି ହଡପ

367

କନକ ବ୍ୟୁରୋ : ସାରୁଅ ଜମି ଦୁର୍ନୀତିକୁ ନେଇ ନୂଆ ସୂଚନା । ଓଡ଼ିଶା ଇନଫାଟ୍ରେକ ପ୍ରାଇଭେଟ ଲିମିଟେଡ ଜମି ହଡପ କରିଛି, ପ୍ରାଥମିକ ତଦନ୍ତରୁ ଏହା ଜଣାପଡିଛି ବୋଲି ସାମ୍ବାଦିକ ସମ୍ମଳନୀରେ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ଲୋକଙ୍କୁ ଠକି ଏହି ଜମି ହଡ଼ପ କରାଯାଇଛି । ଜଣେ ବ୍ୟକ୍ତିଙ୍କଠାରୁ ୭.୨୯ ଏକର ଜମି ନିଆଯାଇଛି । ହେଲେ ଜମି ମାଲିକଙ୍କୁ କୌଣସି ଅର୍ଥ ଦିଆଯାଇନାହିଁ । ଏହାସହ ଜମି ନାଁରେ ବେନାମୀ ଟ୍ରାଞ୍ଜାକ୍ସନ ମଧ୍ୟ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।

ଅନ୍ୟପକ୍ଷରେ ସାରୁଅ ଜମି ଦୁର୍ନୀତି ଘଟଣାରେ ଓଡିଶା ଇନଫ୍ରାଟେକ୍ ନିର୍ଦେଶକ ମନୋରଂଜନ ଷଡଙ୍ଗୀଙ୍କ ଜାମିନ ଆବେଦନର ଶୁଣାଣୀ ଆଜି ଘୁଞ୍ଚିଛି । ଆସନ୍ତା ୯ ତାରିଖରେ ଏହାର ପରବର୍ତୀ ଶୁଣାଣି କରାଯିବ । ମନୋରଂଜନ ଷଡଙ୍ଗୀଙ୍କ ଜାମିନ ଆବେଦନର ଶୁଣାଣି ଆଜି ଖୋର୍ଦ୍ଧା ସେସନ ଜଜଙ୍କ କୋର୍ଟରେ ହେବାର ଥିଲା । ତେବେ ସାରୁଅ ଜମି ଦୁର୍ନୀତି ଘଟଣାରେ କ୍ରାଇମବ୍ରାଂଚ ପକ୍ଷରୁ ୨୨ ଜଣ ଅଭିଯୋଗକାରୀଙ୍କୁ ସଠିକ୍ ଭାବେ ନୋଟିସ୍ ଯାଇ ପାରିନାହିଁ । ତେଣୁ ଆଜିର ଶୁଣାଣିରେ ବିଳମ୍ବ ହୋଇଛି ।