ଶ୍ରୀଲଙ୍କାରେ ଅଣାୟତ୍ତ ସ୍ଥିତି । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପରେ ରାନିଲ ବିକ୍ରମସିଂଘେଙ୍କ ବ୍ୟକ୍ତିଗତ ଘରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ

74

କନକ ବ୍ୟୁରୋ : ଅଣାୟତ ଶ୍ରୀଲଙ୍କା ସ୍ଥିତି । ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ପଦରୁ ରାନିଲ ବିକ୍ରମସିଂଘେ ଇସ୍ତଫା ଦେବା ପରେ ବିକ୍ଷୋଭକାରୀ ତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି । ଏହେଉଛି ତାର ଦୃଶ୍ୟ । ସେପଟେ ରାଷ୍ଟ୍ରପତି ଭବନରେ ବିକ୍ଷୋଭକାରୀ ଧସେଇ ପ୍ରବେଶ କରିଛନ୍ତି । ବିକ୍ଷୋଭକାରୀଙ୍କ ହାବୁଡରେ ପଡିବା ପୂର୍ବରୁ ଗୋଟାବାୟ ରାଷ୍ଟ୍ରପତି ଭବନ ଛାଡି ପଳାଇଥିଲେ । ସେଠାରେ ବିକ୍ଷୋଭକାରୀମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଆଉ ଏହା ପରେ ବିକ୍ଷୋଭକାରୀମାନେ ରାନିଲ ବିକ୍ରମସିଂଘେଙ୍କ ଘର ଅଭିମୁଖେ ଯାଉଥିବାବେଳେ ପୁଲିସ ଲୁହବୁହା ଗ୍ୟାସ ଗୁଳି ଚଳାଇଥିଲା ।

ତେବେ ଜୁଲାଇ ୧୩ ରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଇସ୍ତଫା ଦେବେ । ଶନିବାର ରାତିରେ ଶ୍ରୀଲଙ୍କା ସଂସଦର ବାଚସ୍ପତି ଏହି ସୂଚନା ଦେଇଛନ୍ତି । ଶନିବାର ସନ୍ଧ୍ୟାରେ ସର୍ବଦଳୀୟ ନେତାଙ୍କ ବୈଠକ ପରେ ବାଚସ୍ପତି ତାଙ୍କ ଇସ୍ତଫା ମାଗିବା ପରେ ରାଷ୍ଟ୍ରପତି ରାଜପାକ୍ଷେ ସଂସଦକୁ ନିଜ ଇସ୍ତଫା ବାବଦରେ ବାଚସ୍ପତିଙ୍କୁ ସୂଚନା ଦେଇଛନ୍ତି । ତେବେ ରାଷ୍ଟ୍ରପତି ଭବନ ଛାଡିବା ପରେ ଗୋଟାବାୟା କେଉଁଠି ଅଛନ୍ତି ସେନେଇ କୌଣସି ସଠିକ ସୂଚନା ମିଳିନାହିଁ । ଦୀର୍ଘଦିନ ଧରି କୁହୁଳୁଥିବା ଅସନ୍ତୋଷ ଗତକାଲି ବିରାଟ ଆକାର ନେଇଥିଲା । ଗତ କିଛି ମାସ ଧରି ଶ୍ରୀଲଙ୍କାର ଆର୍ôଥକ ଅବସ୍ଥା ଶୋଚନୀୟ ସ୍ଥିତିକୁ ଚାଲି ଆସିଥିବା ବେଳେ ଋଣ ବୋଝରେ ଦିନକୁ ଦିନ ତଳକୁ ଦବିବାରେ ଲାଗିଛି ଶ୍ରୀଲଙ୍କା ।

କିଛି ମାସ ହେଲାଣି ଦେଶରେ ଇନ୍ଧନ ଅଭାବ ସହ ସ୍କୁଲ ବନ୍ଦ ହେବା ଓ ଅଫିସ କାମ ଘରୁ ଆରମ୍ଭ ହେବା ପରେ ଏବେ ରାସ୍ତାକୁ ଲୋକେ ଓହ୍ଲାଇଛନ୍ତି । ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଆରମ୍ଭ ହେବା ପରେ ସେତେବେଳର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେଙ୍କ ବିରୋଧରେ ଆନ୍ଦୋଳନ ତେଜିଥିଲା । ଏହାପରେ ମହିନ୍ଦା ଇସ୍ତଫା ଦେଇଥିଲେ ଓ ବିକ୍ରମସିଂଘେ ପ୍ରଧାନମନ୍ତ୍ରୀ ହୋଇଥିଲେ । ରାଜପାକ୍ଷେ ପରିବାର ୪୨ ହଜାର କୋଟି ଟଙ୍କାର ଲୁଟିଥିବା ସୂଚନା ରହିଛି ।

କରଜ ବୋଝ, ଟିକସ ହ୍ରାସ, ଦୁର୍ନୀତି, କରୋନା ଯୋଗୁଁ ପର୍ଯ୍ୟଟନ ପ୍ରଭାବିତ ହେବା ଏବଂ ରସାୟନିକ ସାର ବନ୍ଦ ପାଇଁ ଦେଶର ଆର୍ଥିକ ସଂକଟର ୫ ପ୍ରମୁଖ କାରଣ ବୋଲି ଜଣାପଡିଛି । ମହିନ୍ଦାଙ୍କ ପରେ ବିକ୍ରମସିଂଘେ ଦେଶର ଅର୍ଥନୀତି ସଜାଡ଼ିବା ଓ ଆର୍ଥିକ ସହାୟତା ଯୋଗାଡ଼ ପାଇଁ ପ୍ରୟାସ ଜାରି ରଖିଥିଲେ । ହେଲେ ସେ ଇସ୍ତଫା ପରେ ଏବେ ପୁଣି ଏକ ଅନିଶ୍ଚିତ ପରିସ୍ଥିତି ସୃଷ୍ଟି ହୋଇଛି ।

ଯଦି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଅର୍ଥାତ୍ ୧୩ ତାରିଖରେ ଇସ୍ତଫା ପ୍ରଦାନ କରନ୍ତି ତେବେ ସଂସଦ ଏହାର ଜଣେ ସଦସ୍ୟଙ୍କୁ ରାଷ୍ଟ୍ରପତି ଭାବେ ଚୟନ କରିବ ।

– ରାଷ୍ଟ୍ରପତିଙ୍କ ଇସ୍ତଫାର ମାସକ ମଧ୍ୟରେ ନୂଆ ନିଯୁକ୍ତି ଦେବାକୁ ହେବ
– ଯଦି ରାଷ୍ଟ୍ରପତି ଇସ୍ତଫା ଦିଅନ୍ତି ତେବେ ଇସ୍ତଫାର ତିନି ଦିନ ମଧ୍ୟରେ ସଂସଦର ବୈଠକ ଡକାଯିବ
– ସଂସଦର ମହାସଚିବ ରାଷ୍ଟ୍ରପତିଙ୍କ ଇସ୍ତଫା ବିଷୟରେ ଜଣାଇବେ
– ଖାଲି ପଡ଼ିଥିବା ପଦବୀ ପାଇଁ ନାମାଙ୍କନ ପତ୍ର ଗ୍ରହଣ କରିବା ପାଇଁ ତାରିଖ ଧାର୍ଯ୍ୟ କରିବାକୁ ପଡ଼ିବ
– ସଂସଦର ଜଣେ ମାତ୍ର ସଦସ୍ୟ ରାଷ୍ଟ୍ରପତି ପଦବୀ ପାଇଁ ମନୋନୀତ ହେଲେ ତାଙ୍କ ନାମ ଘୋଷଣା ହେବେ
-ଯଦି ଏକାଧିକ ବ୍ୟକ୍ତି ମନୋନୀତ ହୁଅନ୍ତି, ତା’ହେଲେ ସିକ୍ରେଟ ବାଲାଟ ଭୋଟ୍ ହେବ
– ଯାହା ସପକ୍ଷରେ ସଂଖ୍ୟାଗରିଷ୍ଠତା ରହିବ ସେହି ବ୍ୟକ୍ତି ନିର୍ବାଚିତ ହେବେ
– ଶ୍ରୀଲଙ୍କାର ସମ୍ବିଧାନ ଅନୁସାରେ ଏବେର ପ୍ରଧାନମନ୍ତ୍ରୀ କାର୍ଯ୍ୟକାରୀ ରାଷ୍ଟ୍ରପତି ହେବେ
– ଗୋଟାବାୟା ରାଜପାକ୍ଷେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦିଅନ୍ତି, ତେବେ ସଂସଦ ନୂଆ ରାଷ୍ଟ୍ରପତି ଚୟନ କରିବ
– ରାନିଲ ବିକ୍ରମସିଂଘେ ଏକ ମାସରୁ କମ୍ ସମୟ ପାଇଁ କାର୍ଯ୍ୟକାରୀ ରାଷ୍ଟ୍ରପତି ହେବେ
– କ୍ୟାବିନେଟର ଜଣେ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିବା ପାଇଁ ନିଯୁକ୍ତ କରାଯିବ

 ଆର୍ଥିକ ସଙ୍କଟରେ ଫସିଥିବା ଶ୍ରୀଲଙ୍କା ପାଇଁ ୯ ତାରିଖ ଅଶୁଭ ପାଲଟିଛି ।

– ଗତ ତିନି ମାସ ମଧ୍ୟରେ ଲଗାତାର ୯ ତାରିଖରେ ଅନେକ ବଡ଼ ବଡ଼ ରାଜନେତା ଇସ୍ତଫା ଦେଇଛନ୍ତି
– ମେ’ ୯ରେ ଶ୍ରୀଲଙ୍କାର ତତ୍କାଳୀନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ ନିଜ ପଦରୁ ଇସ୍ତଫା ଦେଇଥିଲେ
– ଜୁନ୍ ୯ରେ ବାସିଲ ରାଜପକ୍ଷେ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ
– ଜୁଲାଇ ୯ରେ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେ ଇସ୍ତଫା ଦେଲେ
– ଜୁଲାଇ ୯ରେ ସବୁ ସୀମା ଟପି ଯାଇଛି ଶ୍ରୀଲଙ୍କାର ସ୍ଥିତି
– ଜୁଲାଇ ୯ରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କୁ ନିଜ ବାସଭବନ ଛାଡ଼ିବାକୁ ପଡ଼ିଛି
– ପ୍ରଧାନମନ୍ତ୍ରୀ ବିକ୍ରମସିଂଘେଙ୍କ ଇସ୍ତଫା ପରେ ଶ୍ରୀଲଙ୍କାର କ୍ୟାବିନେଟ୍ ମନ୍ତ୍ରୀମାନେ ଇସ୍ତଫା ଦେଇଛନ୍ତି
– ରାଷ୍ଟ୍ରପତିଙ୍କ ମିଡିଆ ମୁଖ୍ୟ ମଧ୍ୟ ଇସ୍ତଫା ଦେଇଛନ୍ତି ।