ଆଜି ରାଜାଧିରାଜଙ୍କ ସୁନାବେଶ : ୨ ବର୍ଷ ପରେ ରଥାରୁଢ ଶ୍ରୀବିଗ୍ରହଙ୍କୁ ସୁନାବେଶରେ ଦର୍ଶନ କରିବେ ଶ୍ରଦ୍ଧାଳୁ

160

କନକ ବ୍ୟୁରୋ : ଆଜି ରାଜାଧିରାଜଙ୍କ ସୁନାବେଶ । ତିନି ଠାକୁର ଆଜି ରଥ ଉପରୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ତେଣୁ ଜନସମୁଦ୍ର ପାଲଟିବ ବଡଦାଣ୍ଡ । ୨ ବର୍ଷ ପରେ ଚର୍ମଚକ୍ଷୁରେ ସିଂହଦ୍ୱାର ସମ୍ମୁଖରେ ରଥାରୁଢ ଶ୍ରୀବିଗ୍ରହଙ୍କୁ ସୁନାବେଶରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହେବ ମହାବାହୁଙ୍କ ଏହି ଦୁର୍ଲଭ ବେଶ ।

ଶ୍ରୀମନ୍ଦିର ପକ୍ଷରୁ ଏ ନେଇ ନୀତି ନିର୍ଘଣ୍ଟ ହୋଇଛି । ଅପରାହ୍ନ ୫ଟାରେ ସୁନାବେଶ ଆରମ୍ଭ ହେବ । ଶ୍ରୀବିଗ୍ରହଙ୍କ ୧୩୮ ପ୍ରକାର ଅଳଙ୍କାର ଲାଗି ହେବ । ବେଶରେ ଥାଇ ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ବଢିବ । ରାତି ୧୦ଟାରୁ ୧୧ଟା ମଧ୍ୟରେ ଠାକୁରଙ୍କ ବେଶ ଓଲାଗି ହେବ । ଗତକାଲି ହଜାର ହଜାର ଭକ୍ତ ଟାଣି ହୋଇ ଗୁଣ୍ଡିଚା ମନ୍ଦିରରୁ ମହାବାହୁଙ୍କୁ ଆଣି ବଡଦାଣ୍ଡରେ ଛାଡିଥିଲେ ।

ହରିବୋଲ, ହୁଳହୁଳି, ଧ୍ୱନୀ ଭିତରେ ଗଡିଥିଲା ବଡ ଠାକୁରଙ୍କ ରଥ । ପରେ ପରେ ଦେବୀ ସୁଭଦ୍ରାଙ୍କ ରଥ ଓ ପରେ କାଳିଆ ଠାକୁରଙ୍କ ରଥ ଆଗକୁ ଆଗକୁ ଯାଇଥିଲା । ଭକ୍ତଙ୍କ ଭିଡରେ ପ୍ରଭୁ ଟାଣି ହୋଇଯାଇଥିଲେ ମନ୍ଦିର ଆଡକୁ । ହେଲେ ବାଟରେ ମାଉସୀ ମା’ଙ୍କ ପାଖରୁ ପୋଡ ପିଠା ଖାଇବାକୁ ଭୂଲି ନ ଥିଲେ ହଟିଆ ଠାକୁର । ସେଠାରେ ୩ ରଥ ପହଞ୍ଚିବା ପରେ ରଥରେ ଠାକୁରଙ୍କୁ ପୋଡ ପିଠା ଲାଗି କରାଯାଇଥିଲା । ପରେ ଏହି ଭୋଗ ପାଇ ଭକ୍ତମାନେ ଧନ୍ୟ ହୋଇଥିଲେ । ପିଠା ଖାଇବା ପରେ ବଡ ଠାକୁରଙ୍କ ରଥ ଧିରେ ଧିରେ ଆଗକୁ ବଢିଥିଲା ।